ଦୁଃଖ ବଖାଣିଲେ ଅଭିନେତ୍ରୀ: ବିବାହ ଆଉ ମା’ ହେବା ପରେ…

ବମ୍ବେ: ଗ୍ଲାମର ଦୁନିଆ ଯେତିକି ଚାକଚକ୍ୟଭରା, ସେତିକି ସଂଘର୍ଷମୟ। ବିବାହ ପରେ ବି ଅଭିନେତାଟିଏ ପାଖରେ କାମର ଅଭାବ ନ ଥିବା ବେଳେ ଅଭିନେତ୍ରୀଟିଏ କିନ୍ତୁ କରିଥାଏ ସଂଘର୍ଷ। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଚାହତ ଖାନ୍ନାଙ୍କ କ୍ଷେତ୍ରରେ। ଏକଦା ସେ ନିଜର ଚରିତ୍ର ଯୋଗୁ ବେଶ ଲୋକପ୍ରିୟ ଥିଲେ। ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’, ‘କବୁଲ ହୈ’ରେ ତାଙ୍କ ଅଭିନୟ ବାରି ହୋଇ ପଡ଼ୁଥିଲା। ହେଲେ ଏବେ କିନ୍ତୁ ପୁରା ଓଲଟା। କାମ ଖୋଜୁଥିଲେ ହେ ତାଙ୍କ ହାତରେ ଗୋଟିଏ ସୁଯୋଗ ନାହିଁ।

ଦୁଇ ଥର ବିବାହ କରି ବିଫଳ ହୋଇଛନ୍ତି ଚାହତ। ୨୦୦୬ରେ ସେ ପ୍ରଥମେ ଭରତ ନରସିଙ୍ଘାନିଙ୍କୁ ବିବାହ କରିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ଘରୋଇ ହିଂସା ଯୋଗୁ ଉଭୟଙ୍କର ହୋଇଥିଲା ଛାଡ଼ପତ୍ର। ପରେ ଚାହତ ଫରହାନ ମିର୍ଜାଙ୍କୂ ୨୦୧୩ରେ ଦ୍ୱିତୀୟ ବିବାହ କରିଥିଲେ। ବିବାହର ୫ ବର୍ଷ ପରେ ଶାରିରିକ ଏବଂ ମାନସିକ ଅତ୍ୟାଚାର ଅଭିଯୋଗ କରି ଚାହତ ଅଲଗା ହୋଇଯାଇଥିଲେ। ହେଲେ ଦ୍ୱିତୀୟ ବିବାହରୁ ତାଙ୍କର ଦୁଇଟି ସନ୍ତାନ(ଝିଅ) ଅଛି। ସେମାନଙ୍କର ଲାଳନପାଳନ କରୁଛନ୍ତି ସେ। ହେଲେ ତାହା ବହୁତ କଷ୍ଟକର ହେଉଛି।

ପିଲାଙ୍କ ପାଇଁ କାମ କରିବାକୁ ଚାହୁଁଥିଲେ ହେଁ ଚାହତଙ୍କ ପାଖରେ କାମ ନାହିଁ। ଗତବର୍ଷ ସେ ସୋସିଆଲ ମିଡିଆରେ ଏହା କହିଥିଲେ। ପରେ ତାଙ୍କୁ କିଛି ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ମିଳିଥିଲା। ହେଲେ ସନ୍ତୁଷ୍ଟ ହେବା ପରି କାମ ଏଯାଏ ମିଳିନାହିଁ। ଫଳରେ ଚିନ୍ତାରେ ଅଛନ୍ତି ସେ। ବିବାହ ଏବଂ ମା’ ହେବା ପରେ ବହୁତ କିଛି ବଦଳିଯାଏ। ବିଶେଷକରି ବୃତ୍ତିଗତ ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଥାଏ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

Share