ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ୱର,୧୪।୧୧(ସତ୍ୟଜିତ୍‌ ରାଉତ): ଧମକ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ ସୋମବାର ଗିରଫ କରିଛି। ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଅଞ୍ଚଳରେ ଅଭିଯୁକ୍ତା ମୌସୁମୀଙ୍କ ଘର। ଲେଖିକା ବନସ୍ମିତା ପତିଙ୍କ ଏତଲା ଆଧାରରେ ପୋଲିସ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ମୌସୁମୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଗତ ୬ ମାସ ତଳେ ମୌସୁମୀ ଶେୟାର ମାର୍କେଟ୍‌ରେ ବିନିଯୋଗ କରିବାକୁ ବନସ୍ମିତାଙ୍କୁ ୫.୦୮ ଲକ୍ଷ ଟଙ୍କା ଦେଇଥିଲେ। କିଛିଦିନ ପରେ ମୌସୁମୀ ଉକ୍ତ ସମାନ ପରିମାଣର ଟଙ୍କା ଫେରସ୍ତ ନେଇଥିଲେ। ଏହାପରେ ବନସ୍ମିତାଙ୍କଠାରୁ ଅଧିକ ଟଙ୍କା ଆଦାୟ କରିବାକୁ ଧମକ ଦେବା ଆରମ୍ଭ କରିଥିଲେ। ଟଙ୍କା ନ ଦେଲେ ସେ ତାଙ୍କୁ ବଦନାମ କରିବେ ବୋଲି ଧମକ ଦେଇଥିଲେ। ଏନେଇ ବନସ୍ମିତା ଗତ ସେପ୍ଚେମ୍ବରରେ ଇନ୍‌ଫୋସିଟି ଥାନାରେ ମୌସୁମୀଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗର ତଦନ୍ତ ସମୟରେ ମୌସୁମୀ ଆଗକୁ ଏପରି କୌଣସି କାର୍ଯ୍ୟ କରିବେ ନାହିଁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ମୌସୁମୀ ଚନ୍ଦକା ଥାନାରେ ବନସ୍ମିତାଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରାଇବା ସହ ଗଣମାଧ୍ୟମରେ ତାଙ୍କ ସହ ପରିବାର ବିରୋଧରେ ଟିପ୍ପଣୀ ଦେଇଥିଲେ। ଏଥିସହ ବନସ୍ମିତା ଓ ତାଙ୍କ ପରିବାର ଲୋକଙ୍କୁ ମୌସୁମୀ ପୁଣି ହତ୍ୟା ଧମକ ଦେବା ଆରମ୍ଭ କରିଥିଲେ। ବନସ୍ମିତାଙ୍କୁ ଏକ ଗାଡ଼ି ସବୁବେଳେ ପିଛା କରିବା ସହ ଧମକପୂର୍ଣ୍ଣ ମେସେଜ୍‌ ମୋବାଇଲକୁ ଆସୁଥିବା ନେଇ ବନସ୍ମିତା ପୁଣି ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ପୋଲିସ ଅକ୍ଟୋବର ୨୮ରେ ଆଇପିସି ଦଫା ୩୮୫, ୨୯୪, ୫୦୬, ୫୦୭ରେ ଏକ ମାମଲା (ନଂ.୩୫୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତା ମୌସୁମୀଙ୍କୁ ଏହି ମାମଲାରେ ପୋଲିସ ୪୧ ସିଆର୍‌ପିସିରେ ନୋଟିସ୍‌ ଦେଇ ଛାଡ଼ିଥିଲା। ହେଲେ ସେ ଏହି ନୋଟିସକୁ ଉଲ୍ଲଂଘନ କରି ବନସ୍ମିତାଙ୍କ ବିରୋଧରେ ସମାନ ଆଚରଣ ପ୍ରଦର୍ଶନ ଜାରି ରଖିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି। ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ମୌସୁମୀ ଓଡ଼ିଆ ସିନେମା ‘ଗଡବଡ୍‌’, ୨୦୧୪ ଫିଅର୍‌ ଅଫ୍‌ ଦି ଇଅର୍‌, ଚୁମ୍‌କି ଏବଂ ହିନ୍ଦୀ ସେନେମା ‘ରକି ଔର୍‌ ରାନିକି ପ୍ରେମ୍‌ କହାନୀ’ରେ ଅଭିନୟ କରିଛନ୍ତି।

Share