ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ ଜୀବନରେ ମାରିଦେବାକୁ ଧମକ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ସୋସାଇଟିର ଚେୟାରମ୍ୟାନଙ୍କ ବିରୋଧରେ ପାୟଲ ଗାଳିଗୁଲଜ କରିଥିଲେ। ଏହାପରେ ବିବାଦ ବଢ଼ିବା ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଜୁନ ୨୦ରେ ସୋସିଆଇଟି ଏଜିଏମ୍‌ ମିଟିଂରେ ପାୟଲ ସଦସ୍ୟ ନ ହେବା ସତ୍ତ୍ୱେ ମିଟିଂକୁ ଯାଇଥିଲେ। ଯେତେବେଳେ ସେଠାରେ ତାଙ୍କୁ କିଛି କହିବାକୁ ମନାକରାଯାଇଥିଲା, ସେତେବେଳେ ସେ ସମସ୍ତଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ସୋସାଇଟିରେ ପିଲାମାନଙ୍କ ଖେଳିବାକୁ ନେଇ ମଧ୍ୟ ପାୟଲ ଅନେକ ଥର ଝଗଡ଼ା କରିଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ପାୟଲ ଗିରଫ ହୋଇସାରିଛନ୍ତି। ରାଜସ୍ଥାନର ବୁନ୍ଦି ପୋଲିସ ତାଙ୍କୁ ଅହମଦାବାଦରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଥିଲା।

Share