ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ…

ମୁମ୍ବାଇ,୨୪।୮ : ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଛି। ଭେଟେରାନ ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତ୍ରୀ ଆନନ୍ଦ, କୋଶିସ ଏବଂ କୋରା କାଗାଜ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସୀମା ଦେଓ ୮୩ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ଦେଇଛନ୍ତି। କୁହାଯାଉଛି ସେ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ ଏବଂ ସେ ଗୁରୁବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୁଅ ଅଭିନୟ ଦେଓ ଏକ ବିବୃତ୍ତି ଦେଇଛନ୍ତି ଯେଉଁଥିରେ କୁହାଯାଇଛି, ଆଜି ତାଙ୍କ ମାତାଙ୍କର ଦେହାନ୍ତ ହୋଇଛି।

 

ସୀମା ଦେଓ, ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର ଅଭିନେତ୍ରୀ ଥିଲେ। ସୀମା ଦେଓ ଅଭିନେତା ରମେଶ ଦେଓଙ୍କୁ ବିବାହ କରିଥିଲେ। ରମେଶ ଦେଓ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ। ୨ ଫେବୃଆରୀ ୨୦୨୨ ରେ ହୃଦଘାତରେ ରମେଶଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ରମେଶ ଦେଓ ଅମିତାଭ ବଚ୍ଚନଙ୍କ ବନ୍ଧୁ ଡାକ୍ତର ପ୍ରକାଶ କୁଲକର୍ଣ୍ଣି ଭାବେ ଆନନ୍ଦରେ ଅଭିନୟ କରିଥିଲେ। ସେହି ଫିଲ୍ମରେ ସୀମା ଦେଓ ତାଙ୍କ ପତ୍ନୀ ଭୂମିକାରେ ଥିଲେ। ଅମିତାଭ ବଚ୍ଚନ ଏହି ଫିଲ୍ମରେ ତାଙ୍କ ଭାବି ବୋଲି ଡାକୁଥିଲେ।

ସୀମା ତାଙ୍କ କ୍ୟାରିୟରରେ ୮୦ ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଭାଷା ଚଳଚ୍ଚିତ୍ରରେ କାମ କରିଥିଲେ। ସେ ୧୯୬୦ମସିହାରେ ଫିଲ୍ମ ମିଆଁ ବିବି ରଜାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ‘ଭାବି କି ଚୁଡିୟାଁ’, ‘ଦଶ ଲକ୍ଷ’, ‘କୋଶିଶ’, ‘କୋରା କାଗାଜ’, ‘ସଂସାରା’ ‘ସୁନହରା ସଂସାର’ ଏବଂ ସ୍‌‘ସରସ୍ବତୀଚନ୍ଦ୍ର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅଜିଙ୍କ୍ୟ ଦେଓ ଏବଂ ଅଭିନୟ ଦେଓ ତାଙ୍କର ପୁଅ। ଅଭିନୟ ଜଣେ ନିର୍ଦ୍ଦେଶକ ଏବଂ ‘ଦିଲ୍ଲୀ ବେଲି’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ପୁଅ ଅଜିଙ୍କ୍ୟ ମରାଠୀ ସିନେମାର ଜଣେ ଜଣାଶୁଣା ଅଭିନେତା ।

Share