ଅଭିନେତ୍ରୀ ଶୁଭ୍ରା କୁଣ୍ଡୁ ଗିରଫ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଚିଟ୍‌ଫଣ୍ଡ ଠକେଇ ମାମଲାରେ ରୋଜ୍‌ଭ୍ୟାଲି ଗ୍ରୁପ୍‌ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ କୋଲକାତାସ୍ଥିତ ବାସଭବନରୁ ଗିରଫ କରିଛି। ତାଙ୍କ ନାମରେ ୧୭ ହଜାର ୫୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଥିବାବେଳେ ଶନିବାର ତାଙ୍କୁ ଭୁବନେଶ୍ୱର ଅଣାଯିବ। ପଚରାଉଚରା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସିବିଆଇ ସୂତ୍ରରୁ ସୂଚନା ମିଳିଛି।

ଠକେଇର ମାଷ୍ଟରମାଇଣ୍ଡ୍‌ ତଥା ରୋଜ୍‌ଭ୍ୟାଲି ଗ୍ରୁପର ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କୁ ୨୦୧୫ରେ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା। ସେବେଠୁ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ସେହିଭଳି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚଳଚ୍ଚିତ୍ର ପ୍ରାଯୋଜକ ଶ୍ରକାନ୍ତ ମୋହତା ଓ ତୃଣମୂଳ କଂଗ୍ରେସ ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ଗିରଫ ହୋଇଥିଲେ। ଏହି ଚିଟ୍‌ଫଣ୍ଡ୍‌ ସଂସ୍ଥା ଜମାକାରୀଙ୍କୁ ଉଚ୍ଚ ହାରରେ ସୁଧ ଓ ବର୍ଷକରେ ଟଙ୍କା ୨ ଗୁଣ କରି ଫେରସ୍ତ କରିବାର ଲୋଭ ଦେଖାଇ ଓଡ଼ିଶା ସମେତ ରାଜ୍ୟ ବାହାରୁ ଜମାକାରୀଙ୍କଠାରୁ ୧୭ ହଜାର ୫୦୦ କୋଟି ଟଙ୍କା ଠକି ନେଇଥିଲା। ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଓ ସିକ୍ୟୁରିଟି ଏକ୍ସଚେଞ୍ଚ ବୋର୍ଡ ଅଫ ଇଣ୍ଡିଆ(ଏସ୍‌ଇବିଆଇ) ଗାଇଡ୍‌ଲାଇନକୁ ଉଲ୍ଲଂଘନ କରି ଜମାକାରୀଙ୍କୁ ଠକେଇ କରାଯାଇଥିଲା। ଜମାକାରୀଙ୍କ ଅଭିଯୋଗକ୍ରମେ ସୁପ୍ରିମକୋର୍ଟ ସିବିଆଇକୁ ଠକେଇର ତଦନ୍ତ ଭାର ଦେଇଥିଲେ।

Share