ବମ୍ବେ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ୱେତା ତିଓ୍ବାରୀ ଜଣେ। ଏବେ ତାଙ୍କୁ ୪୧ ବର୍ଷ। ହେଲେ ସେ ଦିଶନ୍ତି ଷୋଡଶୀ ଭଳି। ଦୁଇଟି ସନ୍ତାନର ମା’ ହୋଇଥିବା ସତ୍ତ୍ୱେ ତାଙ୍କୁ ଦେଖିଲେ କେହି ତାହା ଠଉରେଇ ପାରିବା ମୁସ୍କିଲ। ସୁନ୍ଦରତା ସାଙ୍ଗକୁ ବୋଲ୍ଡନେସ୍କୁ ନେଇ ସେ ଝିଅ ପଲକଙ୍କ ଭଉଣୀ ଭଳି ଲାଗୁଥିବା ଅନେକ କୁହନ୍ତି।
ଶ୍ୱେତା କେବଳ ନିଜର ସୌନ୍ଦର୍ଯ୍ୟକୁ ନୁହେଁ ବରଂ ଫିଟ୍ନେସକୁ ବେଶ ପ୍ରାଧାନ୍ୟ ଦେଇଥାନ୍ତି। ଏଥିପାଇଁ ବୟସାଧିକ ହେଲେ ବି ସେ ସବୁପ୍ରକାର ପରିଧାନକୁ ବିନା ଦ୍ୱିଧାରେ ପିନ୍ଧି ପାରନ୍ତି। ଇନ୍ଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଭିନ୍ନ ଲୁକ୍ ଚର୍ଚ୍ଚାରେ ରହିଥାଏ।
ଶ୍ୱେତା ଅନେକ ଟେଲିଭିଜନ ଶୋ’ ସାଙ୍ଗକୁ ବଲିଉଡ୍ ଏବଂ ଭୋଜପୁରୀ ସିନେମାରେ କାମ କରିଛନ୍ତି। ବିଶେଷକରି ଭୋଜପୁରୀଜଗତରେ ତାଙ୍କ କ୍ରେଜ କାହିଁରେ କେତେ। ସେ ଭୋଜପୁରୀ ସିନେମା ‘ ହମାର ସୈୟାଁ ହିନ୍ଦୁସ୍ତାନୀ’ରେ ଡେବ୍ୟୁ କରିଥିଲେ। ଫିଲ୍ମରେ ତାଙ୍କ ସହ ରବି କିଶନ ଏବଂ ପୂର୍ବ ସ୍ବାମୀ ରାଜା ଚୌଧୁରୀ ନଜର ଆସିଥିଲେ। ଏହାପରେ ସେ ‘ଏ ଭଉଜୀ କେ ସିଷ୍ଟର’, ‘କବ୍ ଆଇବୁ ଅଙ୍ଗନା ହମାର’ ଏବଂ ‘ସବସେ ବଡ଼ା ରୁପୟା’ ଭଳି ସିନେମାରେ ଅଭିନୟ କରି ବାହାବା ସାଉଁଟିଛନ୍ତି।