ମଞ୍ଚ ଉପରେ ପିନ୍ଧା ପୋଷାକ ଖୋଲି ଦେଲେ ଅଭିନେତ୍ରୀ…

ପ୍ୟାରିସ୍‌,୧୪।୩: ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଜଣେ ଅଭିନେତ୍ରୀ ମଞ୍ଚ ଉପରେ ନିଜର ପିନ୍ଧା ପୋଷାକ ଖୋଲି ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜଣାଇବାକୁ ଯାଇ ସେ ଏଭଳି କରିଛନ୍ତି। ଏହି ଘଟଣା ଫ୍ରାନ୍ସ୍‌ରେ ଘଟିଛି। ୪୬ତମ ସିଜର ପୁରସ୍କାର ପ୍ରଦାନ ଉତ୍ସବରେ ୫୭ ବର୍ଷ ବୟସ୍କା ଅଭିନେତ୍ରୀ କୋରେନ୍‌ ମାସିରୋ ମଞ୍ଚ ଉପରେ ଏଭଳି କରିଛନ୍ତି। ସରକାରଙ୍କ ପାଖରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ସେ ମଞ୍ଚକୁ ଗଧ କଷ୍ଟ୍ୟୁମ୍‌ ପିନ୍ଧି ଆସି ପହଞ୍ଚିଥିଲେ। ଏହାପରେ ନିଜର ପୋଷାକ ଖୋଲି ଦେଇଥିଲେ। ତାଙ୍କ ଶରୀରରେ ସଂସ୍କୃତି ବିନା କୌଣସି ଭବିଷ୍ୟତ ନାହିଁ ବୋଲି ରକ୍ତରେ ଲେଖାଯାଇଥିଲା। ସେହିପରି ପିଠିରେ ସେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିଏନ୍‌ କାଷ୍ଟେକ୍ସଙ୍କ ଉଦ୍ଦେଶ୍ୟରେ ଆମକୁ ଆମର କଳା ଫେରାଇ ଦିଅନ୍ତୁ ବୋଲି ଲେଖିଥିଲେ। କରୋନା ମହାମାରୀ ସମୟରେ ଦେଶର ସମସ୍ତ ଫିଲ୍ମ ହଲ୍‌ ଗତ ୩ ମାସ ଧରି ବନ୍ଦ ରହିଛି। ସରକାରଙ୍କ ଏଭଳି ନିଷ୍ପତ୍ତିି ନେଇ ବହୁ କଳାକାର ଅସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି। ତେବେ ମାସିରୋ ସର୍ବ ସମ୍ମୁଖରେ ଏଭଳି କରି ସରକାରଙ୍କ ପାଖରେ ନିଜର ଅସନ୍ତୋଷ ବ୍ୟକ୍ତ କରିବାର ପ୍ରୟାସ କରିଛନ୍ତି। ଫ୍ରାନ୍ସ୍‌ର ସିଜର ପୁରସ୍କାରକୁ ଓସ୍କାର ସହିତ ତୁଳନା କରାଯାଇଥାଏ। ମାସିରୋଙ୍କୁ ଶ୍ରେଷ୍ଠ କଷ୍ଟ୍ୟୁମ୍‌ ପୁରସ୍କାର ପ୍ରଦାନ ପାଇଁ ମାର୍ଚ୍ଚ ୧୨ରେ ପ୍ୟାରିସ୍‌ଠାରେ ହୋଇଥିବା ଉତ୍ସବରେ ମଞ୍ଚକୁ ଡକାଯାଇଥିଲା। ମାସିରୋ ମଞ୍ଚକୁ ଆସି ସମସ୍ତଙ୍କୁ ଚକିତ କରିଦେଇଥିଲେ।

Share