ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ ଓ କୋରିଅଗ୍ରାଫର ସରୋଜ ଖାଁଙ୍କ ଯୋଡି ସମସ୍ତ ପପୁଲାର ଯୋଡିଙ୍କ ମଧ୍ୟରୁ ଗୋଟିଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ଗୁରୁ ଶିଷ୍ୟଙ୍କ ବିଷୟରେ କିଏ ବା ନ ଜାଣେ। ଏବେ ଆଉ ସରୋଜ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କର ପ୍ରତ୍ୟେକଟି କଥାକୁ ମନେପକାଇ ମାଧୁରୀ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ଗୁରୁଙ୍କ ଉଦ୍ଦେଶ୍ୟରେ ରବିବାର ଦେଶବ୍ୟାପି ଗୁରୁପୂର୍ଣ୍ଣିମା ପାଳନ କରାଯାଇଛି। ଏହି ଅବସରକୁ ମାଧୁରୀ ହାତଛଡ଼ା ନ କରି ନିଜ ମାଷ୍ଟରଜୀଙ୍କ ପାଇଁ ଏକ ନୋଟ ଲେଖି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନାଯୋଗ୍ୟ, ଇନ୍ଷ୍ଟାଗ୍ରାମରେ ଏକ ଭାବପ୍ରବଣ ନୋଟ ଲେଖି ମାଧୁରୀ ଜଣାଇଛନ୍ତି ଯେ, ସରୋଜ ଖାଁଙ୍କୁ କେତେ ଭଲ ପାଆନ୍ତି ଏବଂ ତାଙ୍କର କେତେ ସମ୍ମାନ କରନ୍ତି। ସେ ଲେଖିଛନ୍ତି, ବିଶ୍ୱାସ ହେଉନି, ମାଷ୍ଟରଜୀ ଆଉ ଏହି ଦୁନିଆରେ ନାହାନ୍ତି। ତାଙ୍କ ପରି ଜଣେ ବନ୍ଧୁ ଓ ଗୁରୁଙ୍କୁ ହରାଇବା ଯନ୍ତ୍ରଣାଦାୟକ ସଦୃଶ। ଏହି ଦୁଃଖକୁ ଶବ୍ଦରେ ବ୍ୟାଖ୍ୟା କରିହେବ ନାହିଁ ବୋଲି ମାଧୁରୀ କହିଛନ୍ତି। ସରୋଜ ହସ୍ପିଟାଲରେ ଥିବାବେଳେ ମାଧୁରୀ ତାଙ୍କ ଝିଅଙ୍କ ସହ କଥା ହୋଇଥିଲେ। ସେ କହିଥିଲେ, ଖୁବ୍ଶୀଘ୍ର ମା’ ଠିକ୍ ହୋଇଯିବେ। ହେଲେ ଦୁଇ ଦିନ ପରେ ସେ ଚିରନିଦ୍ରାକୁ ପଳାଇଥିଲେ। ତେବେ ଆମ ଭିତରେ ଥିବା ଗୁରୁ-ଶିଷ୍ୟର ବଣ୍ଡିଂ, ସେଟ୍ରେ ମା’ ପରି ମୋର ଯତ୍ନ ନେବା ଆଦି ସବୁକିଛିକୁ କେବେ ଭୁଲି ପାରିବିନ ବୋଲି ଧକ୍ ଧର୍କ ଗର୍ଲ କହିଛନ୍ତି।