Categories: Uncategorized

ସୁଶାନ୍ତଙ୍କ ଫ୍ଲାଟ୍‌ କିଣିଲେ ଅଦା ଶର୍ମା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ବିତିଗଲାଣି। ହେଲେ ଏବେ ବି ଲୋକଙ୍କ ମନରେ ସେ ଘର କରି ରହିଛନ୍ତି। ଏହି ଲୋକପ୍ରିୟ ଅଭିନେତାଙ୍କ ଘର ନିକଟରେ ବିକ୍ରି ହୋଇଯାଇଛି। ରିପୋର୍ଟ ମୁତାବକ, ଅଭିନେତ୍ରୀ ଅଦା ଶର୍ମା ମୁମ୍ବାଇରେ ସୁଶାନ୍ତ ରହୁଥିବା ଫ୍ଲାଟ୍‌କୁ କିଣିଛନ୍ତି। ଅଦା ଶର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ହେଲେ ସେ କେବେ ଏହି ଘରେ ରହିବେ ତାହା ଜଣାପଡ଼ିନି। ‘ଦ କେରଳ ଷ୍ଟୋରି’ର ସଫଳତା ପରେ ଅଭିନେତ୍ରୀଙ୍କୁ ନିକଟରେ ‘କମାଣ୍ଡୋ’ ସିରିଜରେ ମଧ୍ୟ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟରେ ଦର୍ଶାଯାଇଛି, ସୁଶାନ୍ତଙ୍କ ମୃତ୍ୟୁ ପରେ ସେହି ଆପାର୍ଟମେଣ୍ଟରେ ଘରର ମୂଲ୍ୟ ବେଶ୍‌ ଅଧିକ ରହିଥିଲା। ଅନେକ ଲୋକ ଉକ୍ତ ଫ୍ଲାଟ୍‌ କିଣିବାକୁ ଆଗ୍ରହୀ ଥିଲେ। କିନ୍ତୁ ଏବେ ତାହା ଅଦା ଶର୍ମାଙ୍କ ହାତକୁ ଆସିଛି। ତେବେ ସୁଶାନ୍ତ ସେ ଘରେ ରହୁଥିବାବେଳେ ଭଡ଼ା ଆକାରରେ ମାସିକ ୪.୫ ଲକ୍ଷ ଟଙ୍କା ଦେଉଥିଲେ। ୨୦୦୮ରେ ଅଭିନେତ୍ରୀ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିଲେ ମଧ୍ୟ ‘ଦି କେରଳା ଷ୍ଟୋରି’ ଜରିଆରେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି। ଏଥିସହ ତାଙ୍କୁ ଅନେକ ୱେବ୍‌ ସିରିଜ୍‌ରେ ମଧ୍ୟ ଦେଖିବାକୁ ମିଳିଛି।