Categories: ବାଣିଜ୍ୟ

ଦେଶର ସବୁଠୁ ବଡ଼ କପର୍‌ ପ୍ଲାଣ୍ଟ୍‌ ଖୋଲିବ ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ,୪।୨: ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ ଦେଶର ସର୍ବବୃହତ କପର୍‌ ପ୍ଲାଣ୍ଟ୍‌ ଖୋଲିବାକୁ ଯାଉଛି। ଏହି ପ୍ଲାଣ୍ଟ୍‌ ଗୁଜରାଟର ମୁଣ୍ଡ୍ରାଠାରେ ନିର୍ମାଣ ହେବ। ଏହି ପ୍ଲାଣ୍ଟ୍‌ ସହିତ ଦେଶର କପର୍‌ ଆମଦାନୀ ହ୍ରାସ ପାଇବ। କପର୍‌ ପ୍ଲାଣ୍ଟ୍‌ ପାଇଁ ଆଦାନୀ ଗ୍ରୁପ ପ୍ରାୟ ୧.୨ ବିଲିୟନ ଡଲାର ବିନିଯୋଗ କରିବ। ଏହାର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବ ଏବଂ ୨୦୨୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ଲାଣ୍ଟ୍‌ର କ୍ଷମତା ପ୍ରାୟ ୧୦ ଲକ୍ଷ ଟନ ହେବ।
ଚାଇନା ଭଳି ଅନ୍ୟ ଦେଶ ସହିତ କପର୍‌ ଉତ୍ପାଦନକୁ ଭାରତ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛି। ଅଶୋଧିତ ତୈଳ ଉପରେ ନିର୍ଭରଶୀଳତାକୁ ଶେଷ କରିବା ପାଇଁ ଭାରତ ସବୁଜ ଶକ୍ତିର ଅନ୍ୟ ମାଧ୍ୟମକୁ ପ୍ରୋତ୍ସାହିତ କରୁଛି। ଏଥିପାଇଁ ବୈଦ୍ୟୁତିକ ଯାନ ଉତ୍ପାଦନ (ଇଭି), ଚାର୍ଜିଂ ଭିତ୍ତିଭୂମି, ସୌର ଶକ୍ତି, ପବନ ଶକ୍ତି ଏବଂ ବ୍ୟାଟେରୀ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ସମସ୍ତ ପାଇଁ କପର୍‌ ଆବଶ୍ୟକ।
ସୂଚନାନୁସାରେ, ଆଦାନୀ ଏଣ୍ଟରପ୍ରାଇଜେସ (AEL) ର ସହାୟକ କମ୍ପାନୀ କୁଚ କପର ଲିମିଟେଡ (କେସିଏଲ) ଏହି ଗ୍ରୀନ ଫିଲ୍ଡ କପର୍‌ ପ୍ରକଳ୍ପ ପ୍ରସ୍ତୁତ କରୁଛି। ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ବାର୍ଷିକ ୧୦ ଲକ୍ଷ ଟନ କପର୍‌ ଉତ୍ପାଦନ କରିବାରେ ସକ୍ଷମ ହେବ। ପ୍ରଥମ ପର୍ଯ୍ୟାୟରେ ଏହାର କ୍ଷମତା ବାର୍ଷିକ ୫ ଲକ୍ଷ ଟନ ହେବ।

Share