Categories: ଜାତୀୟ

ଚଢ଼ାଦରରେ କୋଇଲା ବିକୁଥିଲା ଆଦାନୀ

ନୂଆଦିଲ୍ଲୀ,୨୫ା୫: ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ୨୦୧୩ରେ ଇଣ୍ଡୋନେସିଆରୁ ନିମ୍ନମାନର କୋଇଲା ଆମଦାନୀ କରି ଭାରତ ଓ ଅନ୍ୟ ଦେଶଗୁଡ଼ିକରେ ଚଢ଼ାଦରରେ ବିକ୍ରି କରୁଥିଲା। କୋଇଲାର ଏହି ଓଭର ଭାଲ୍ୟୁଏଶନ୍‌କୁ ନେଇ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ଜର୍ଜ ସୋରୋସ୍‌ଙ୍କ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆଣ୍ଡ୍‌ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍‌ପି)ର କେତେକ ଦସ୍ତାବିଜ ଆଧାରରେ ଲଣ୍ଡନର ଫାଇନାନ୍ସିଆଲ ଟାଇମ୍ସ ଏହାକୁ ‘ଆଦାନୀ ଗ୍ରୁପ୍‌ର ବଡ଼ ଠକେଇ’ ବୋଲି ନିକଟରେ ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା। ଏହାପରେ ସୁପ୍ରିମକୋର୍ଟରେ ଉକ୍ତ ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଅନୂ୍ୟନ ୨୧ଟି ଅନ୍ତର୍ଜାତୀୟ ସଙ୍ଗଠନ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଅଷ୍ଟ୍ରେଲିଆନ୍‌ ସେଣ୍ଟର ଫର୍‌ ଇଣ୍ଟରନ୍ୟାଶନାଲ ଜଷ୍ଟିସ୍‌, ବ୍ୟାଙ୍କଟ୍ରାକ୍‌, ବବ୍‌ ବ୍ରାଉନ୍‌ ଫାଉଣ୍ଡେଶନ୍‌, କଲ୍ଚର ଅଣ୍ଡରଷ୍ଟେନ୍‌ଡ, ଏକୋ, ଏକ୍ସଟିନ୍ସନ ରେବେଲିଅନ୍‌, ଫ୍ରୋଣ୍ଡ୍ସ ଅଫ୍‌ ଦି ଆର୍ଥ ଅଷ୍ଟ୍ରେଲିଆ, ଲଣ୍ଡନ୍‌ ମାଇନିଂ ନେଟ୍‌ଓ୍ବର୍କ, ମେକେୟ କଞ୍ଜର୍ଭେଶନ୍‌ ଗ୍ରୁପ୍‌, ମାର୍କେଟ ଫୋର୍ସେସ୍‌, ମନିରେବେଲିଅନ୍‌ ପ୍ରମୁଖ ଅନ୍ତର୍ଜାତୀୟ ସଙ୍ଗଠନ ସିଜେଆଇଙ୍କ ନିକଟକୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ଜୀବାଶ୍ମ ଇନ୍ଧନର ନିରବଚ୍ଛିନ୍ନ ବ୍ୟବହାରକୁ ଦୃଢ଼ ବିରୋଧ କରୁଛନ୍ତି। ନିମ୍ନମାନର କୋଇଲାକୁ ବ୍ୟୟବହୁଳ, ସ୍ବଚ୍ଛ ଇନ୍ଧନ ରୂପେ ବ୍ୟବହାର କରାଯିବା ଉପରେ ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟରେ ବିସ୍ତୃତ ପ୍ରମାଣ ଦିଆଯାଇଛି। ତାମିଲନାଡୁର ଟାଙ୍ଗେଡ୍‌କୋକୁ ଆଦାନୀ ଗ୍ରୁପ୍‌ ବିକ୍ରି କରିଥିବା କୋଇଲା ଏହାର ଏକ ଦୃଷ୍ଟାନ୍ତ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବରୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ ଦାବି କରିଥିବାବେଳେ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅନେକଥର ଏହାର ଅବତାରଣା କରିସାରିଛନ୍ତି। ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି। କୋଇଲା ଲୋଡ୍‌ ବେଳେ ଏହାର ମାନ ନିରପେକ୍ଷ ଭାବେ ଯାଞ୍ଚ କରାଯାଇଛି। ତାମିଲନାଡୁ ଜେନେରେଶନ୍‌ ଆଣ୍ଡ୍‌ ଡିଷ୍ଟ୍ରିବ୍ୟୁଶନ୍‌ କମ୍ପାନୀ (ଟାଙ୍ଗେଡ୍‌କୋ) ମଧ୍ୟ କୋଇଲା ଯାଞ୍ଚ ପରେ ହିଁ କିଣିଥାଏ ବୋଲି ଆଦାନୀ ଗ୍ରୁପ୍‌ର ଜଣେ ମୁଖପାତ୍ର କହିଛନ୍ତି। ୨୦୧୧ରୁ ୨୦୧୫ ମଧ୍ୟରେ ହୋଇଥିବା ଏହି କାରବାର ସମ୍ପର୍କରେ ୨୦୧୬ ମାର୍ଚ୍ଚରେ ଡାଇରେକ୍ଟୋରେଟ୍‌ ଅଫ୍‌ ଦି ରେଭିନ୍ୟୁ ଇଣ୍ଟେଲିଜେନ୍ସ ପକ୍ଷରୁ ଆଦାନୀ କମ୍ପାନୀଗୁଡ଼ିକ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିଲା।

Share