Categories: ବାଣିଜ୍ୟ

୪୯ ବିଲିୟନ ଡଲାର ବଢ଼ିଛି ଆଦାନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୭।୩ : ଭାରତ ତଥା ଏସିଆର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି ଭାବେ ପରିଚିତ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତବର୍ଷ ୪୯ ବିଲିୟନ ଡଲାର (୩,୭୩,୨୬୨ କୋଟି ଟଙ୍କା) ବୃଦ୍ଧି ପାଇଛି। ଏହା ବିଶ୍ୱର ୩ ଶ୍ରେଷ୍ଠ ଧନୀ ଟେସ୍‌ଲା କମ୍ପାନୀ ମାଲିକ ଏଲନ୍‌ ମସ୍କ, ଆମାଜନ ମୁଖ୍ୟ ଜେଫ୍‌ ବେଜୋସ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟବସାୟୀ ବର୍ନାର୍ଡ ଅର୍ନଲ୍ଟଙ୍କ ମୋଟ ବର୍ଦ୍ଧିତ ସମ୍ପତ୍ତିଠାରୁୁ ଅଧିକ। ୨୦୨୨ ଏମ୍‌୩ଏମ୍‌ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟରୁ ଏହା ଜଣାପଡ଼ିଛି। ଭାରତର ଶ୍ରେଷ୍ଠ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୧୦୩ ବିଲିୟନ ଡଲାର। ଗତ ୧୦ ବର୍ଷରେ ଅମ୍ବାନୀଙ୍କ ସମ୍ପତ୍ତି ୪୦୦% ବଢ଼ିଥିବାବେଳେ ଆଦାନୀଙ୍କର ୧,୮୩୦% ବଢ଼ିଥିବା ଉକ୍ତ ତାଲିକାରେ କୁହାଯାଇଛି। ଦେଶର ତୃତୀୟ ଧନୀ ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦରଙ୍କ ସମ୍ପତ୍ତି ୨୮ ବିଲିୟନ ଡଲାର ହୋଇଥିବାବେଳେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାଓ୍ବାଲାଙ୍କ ସମ୍ପତ୍ତି ୨୬ ବିଲିୟନ ଡଲାର।
ଆଦାନୀଙ୍କ କମ୍ପାନୀ ସହ ପୁନଃନବୀକରଣ ଶକ୍ତି କମ୍ପାନୀ ଆଦାନୀ ଗ୍ରୀନ୍‌ ତାଲିକାରେ ସାମିଲ ହେବା ପରେ ୨୦୨୦ରେ ତାଙ୍କ ସମ୍ପତ୍ତି ୧୭ ବିଲିୟନ ଥିବାବେଳେ ଏହା ପାଖାପାଖି ୫ ଗୁଣ ବୃଦ୍ଧି ପାଇ ୮୧ ବିଲିୟନ ଡଲାର ହୋଇଛି। ଗତବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ୨୦ ବିଲିୟନ ଡଲାର ବଢ଼ିଛି। ୨୦୨୨ ଏମ୍‌୩ଏମ୍‌ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟରେ ୬୯ ଦେଶର ୨,୫୫୭ କମ୍ପାନୀର ୩,୩୮୧ ବିଲିୟନେୟାରଙ୍କ ର଼୍ୟାଙ୍କ ପ୍ରସ୍ତୁତ କରାଯାଇଛି। ବିଶ୍ୱ ଜନସଂଖ୍ୟାର ୧୮ ପ୍ରତିଶତ ଭାରତରେ ରହିଥିବାବେଳେ ୮% ଅରବପତି ରହିଛନ୍ତି। ଭାରତରେ ୨୧୫ ବିଲିୟନାୟାର ଥିବାବେଳେ ଚାଇନାରେ ୧,୧୩୩ ଏବଂ ଆମେରିକାରେ ୭,୧୬ ଜଣ ଅଛନ୍ତି।

 

 

Share