ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ତୃତୀୟରୁ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପିଟାଲାଇଜେଶନ୍‌ ବୁଧବାର ୯୭,୦୦୦ କୋଟି ଟଙ୍କା ହ୍ରାସ ପାଇଥିବାବେଳେ ଶୁକ୍ରବାର ଏହି କ୍ଷତିର ପରିମାଣ ୨.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଥିସହ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨ ବିଲିୟନ୍‌ ଡଲାର ଖସିଯାଇଛି। ଭାରତ ଓ ଏସିଆର ସବୁଠୁ ଧନୀ ଆଦାନୀଙ୍କ ପାଇଁ ଏହି ଚାଞ୍ଚଲ୍ୟକର ରିପୋର୍ଟ ଏକପ୍ରକାର ଅଭିଶାପ ପାଲଟିଯାଇଛି।
ଗତବର୍ଷ ଟେସ୍‌ଲା, ସ୍ପେସେକ୍ସ ଏବଂ ଟୁଇଟର ମାଲିକ ଏଲନ୍‌ ମସ୍କ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଥିଲେ। ପରେ ବିଭିନ୍ନ କାରଣରୁ ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ ବିଲିୟନ୍‌ ଡଲାରକୁ ଖସିଯିବାରୁ ଲୁଇସ୍‌ ଭିଟ୍ଟୋନ୍‌ ମାଲିକ ବର୍ନାର୍ଡ ଆର୍ନଲ୍ଟ (୨୧୬ ବିଲିୟନ୍‌ ଡଲାର) ସବୁଠୁ ବଡ଼ ଧନୀ ମାନ୍ୟତା ଲାଭ କରିଛନ୍ତି। ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ (୧୨୨ ବିଲିୟନ୍‌ ଡଲାର) ତୃତୀୟରେ ରହିଛନ୍ତି। ଗତବର୍ଷ ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ପ୍ରାଇସ୍‌ରେ ବଡ଼ ରାଲି ଦେଖିବାକୁ ମିଳିଥିଲା। ଫଳରେ ଆଦାନୀ ମଝିରେ କିଛି ସମୟ ପାଇଁ ଦ୍ୱିତୀୟ ଧନୀ ପାଲଟିଯାଇଥିଲେ। ଫୋର୍ବସ ରିଅଲ ଟାଇମ୍ସ ବିଲିଅନେୟାର ଇଣ୍ଡେକ୍ସରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ଶୁକ୍ରବାର ୨୦% ହ୍ରାସ ପାଇ ୯୬.୮ ବିଲିୟନ୍‌ ଡଲାରରେ ପହଞ୍ଚତ୍ଛି। ସେ ଏବେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ (୧୦୪ ବିଲିୟନ୍‌ ଡଲାର)ଙ୍କ ତଳେ ଅଛନ୍ତି। ଆଦାନୀଙ୍କ ବ୍ୟବସାୟିକ ପ୍ରତିଦ୍ୱଦ୍ୱୀ ତଥା ଏକାଦଶ ସ୍ଥାନରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୮୩.୬ ବିଲିୟନ୍‌ ଡଲାର।

Share