ଅଧାପନ୍ତରିଆ ବିକାଶ କାର୍ଯ୍ୟ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଲକ୍‌ଡାଉନ୍‌ ସକାଶେ ବନ୍ଦ ଥିବା ରାସ୍ତା ମରାମତି, ଡ୍ରେନ୍‌ ନିର୍ମାଣ ସହ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ଏବେ ପୁନଃ ଆରମ୍ଭ ହୋଇଛି। ତେବେ ବର୍ଷାରେ ତରବରିଆ ଭାବେ ଚାଲିଥିବା କାର୍ଯ୍ୟର ଗୁଣବତ୍ତାକୁ ନେଇ ସବୁଠି ଅଭିଯୋଗ ଉଠୁଛି। ବିଏମ୍‌ସିଠାରୁ ଟେଣ୍ଡର ନେଇଥିବା ସଂସ୍ଥାଗୁଡ଼ିକ କରୋନା ଓ ବର୍ଷା ବାହାନାରେ ଶୀଘ୍ର କାର୍ଯ୍ୟ ସାରିବାକୁ ଉଦ୍ୟମ କରୁଛନ୍ତି। ଫଳରେ ଲକ୍ଷ୍ମୀସାଗରରୁ ଝାରପଡ଼ା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସ୍ବେରେଜ କାମ, ନୟାପଲ୍ଲୀ ଅଞ୍ଚଳରେ ଡ୍ରେନ୍‌ କାମ, ପଟିଆ ଅଞ୍ଚଳରେ ରାସ୍ତା କାମ ନିମ୍ନମାନର ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସହରର ଆଉ କିଛି ସ୍ଥାନରେ ତୀବ୍ର ବିରୋଧ ଯୋଗୁ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତବର୍ଷ ଜାନୁୟାରୀ ୧୫ରେ ମେୟର ଓ କର୍ପୋରେଟରଙ୍କ କାର୍ଯ୍ୟକାଳ ସରିଛି। ଏବେ ସବୁ ଦାୟିତ୍ୱ ବିଏମ୍‌ସି ଅଧିକାରୀଙ୍କ ହାତରେ ରହିଛି। କରୋନା କଟକଣା ପାଇଁ ଲୋକଙ୍କ ଅଭିଯୋଗ ବିଏମ୍‌ସିରେ ପହଞ୍ଚତ୍ପାରୁ ନ ଥିବାବେଳେ କହିବାକୁ ମଧ୍ୟ କୌଣସି ଜନପ୍ରତିନିଧି ନାହାନ୍ତି। ଫଳରେ ଅଧିକାରୀ ଓ ଠିକାଦାରଙ୍କ ମର୍ଜିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲିଥିବା ଜଣାପଡିଛି।
ବିଏମ୍‌ସି ଡ୍ରେନେଜ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପଡ଼ି ରହିଥିବା କାର୍ଯ୍ୟକୁ ଠିକ୍‌ ଭାବେ ଶୀଘ୍ର ସାରିବାକୁ କଣ୍ଟ୍ରାକ୍ଟରମାନଙ୍କୁ ତାଗିଦ୍‌ କରାଯାଇଛି। ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ମୁଖ୍ୟଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର କହିଛନ୍ତି, ବିଏମ୍‌ସି ଇଞ୍ଜିନିୟରିଂ ସେଲ୍‌ର ବହୁ କର୍ମଚାରୀ ଭୁବନେଶ୍ୱରର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ଥିଲେ। ଫଳରେ କେତେଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେଣୁ ଉକ୍ତ ସେଲ୍‌କୁ କିଛିଦିନ ଯାଏ ବନ୍ଦ କରାଯାଇଥିଲା। ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନେ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। କରୋନା ପାଇଁ ସମସ୍ତେ ବ୍ୟସ୍ତ ରହୁଥିବାରୁ ସହରରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଇତିମଧ୍ୟରେ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରକୁ ଆସିଲେଣି। ବନ୍ଦଥିବା ସମସ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। କିପରି ଠିକ୍‌ ଭାବେ ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

Share