ଯୋଡ଼ି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି

କଟକ ଅଫିସ,୧୬ା୭: ଯୋଡ଼ିି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି। ଏଭଳି ବିରଳ ଅସ୍ତ୍ରୋପଚାର ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରମାନେ କରିଛନ୍ତି। ଫଳରେ ଅସ୍ତ୍ରୋପଚାରର ୧୧ ଦିନ ପରେ ସମ୍ପୃକ୍ତା ମହିଳାଙ୍କ ୪ କଟା ଆଙ୍ଗୁଠି କିଛି ଅଂଶରେ ପୁନଃ କାର୍ଯ୍ୟକ୍ଷମ ହେବାକୁ ସକ୍ଷମ ହେଲାଣି। ଏସ୍‌ସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ଡା. ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ଡା. ରଶ୍ମିରଞ୍ଜନ ମହାନ୍ତି ଏବଂ ଡା. ପ୍ରଶାନ୍ତ କୁମାର ବଳ ପ୍ରାୟ ୧୧ ଘଣ୍ଟାର ଅସ୍ତ୍ରୋପଚାର କରି କଟା ଆଙ୍ଗୁଠିଗୁଡ଼ିକର ସଫଳ ପ୍ରତିରୋପଣ କରିଥିଲେ।
ସୂଚନା ଅନୁଯାୟୀ, ପିପିଲି ଅଞ୍ଚଳର ୪୮ବର୍ଷୀୟା ସୁଷମା ବଳଙ୍କର ଗତ ୪ ତାରିଖ ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ବାମହାତର କାଣି ଆଙ୍ଗୁଠି ବ୍ୟତୀତ ଅନ୍ୟ ସମସ୍ତ ଆଙ୍ଗୁଠି ସମ୍ପୂର୍ଣ୍ଣ ଭାବେ କଟିଯାଇଥିଲା। କଟା ଆଙ୍ଗୁଠିଗୁଡ଼ିକ ସହ ତାଙ୍କ ପରିବାର ଲୋକେ ଭୁବନେଶ୍ୱରର ଅନେକ ଘରୋଇ ହସ୍‌ପିଟାଲକୁ ଯାଇ ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ହସ୍‌ପିଟାଲ ଏଭଳି ଜଟିଳ ରୋଗୀଙ୍କ ଚିକିତ୍ସା କରିବାକୁ ରାଜି ନ ହେବାରୁ ଶେଷରେ ତାଙ୍କୁ ଅପରାହ୍ନ ୨.୩୦ରେ କଟକସ୍ଥ ଏସ୍‌ସିବି ମେଡିକାଲକୁ ଆଣିଥିଲେ। ଏଠାକାର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି। କଟିଯାଇଥିବା ଆଙ୍ଗୁଠିଗୁଡ଼ିକ ସାମାନ୍ୟ ଭଲ ହେବା ଆରମ୍ଭ କଲାଣି।

Share