ଭାରତରେ ନିଶା

ଚଳିତ ମାସର ପ୍ରଥମ ସପ୍ତାହରେ ଭାରତର ବିଭିନ୍ନ ସ୍ଥାନରୁ ୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ବା ମାଦକଦ୍ରବ୍ୟ ଜବତ ହୋଇସାରିଲାଣି। ଏହା ଦେଶ ଭିତରେ ଏକ ବଡ଼ ଏବଂ ସକ୍ରିୟ ବେଆଇନ ନିଶା କାରବାର ଦିଗକୁ ସୂଚିତ କରୁଛି। ଅକ୍ଟୋବର ୨ରେ ଦିଲ୍ଲୀ ପୋଲିସ ୫,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୬୦ କେ.ଜି. କୋକେନ ଓ ୪୦ କେ.ଜି.ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରି ଭାରତର ଏକ ବଡ଼ ଡ୍ରଗ୍ସ ର଼୍ୟାକେଟକୁ ସାମ୍ନାକୁ ଆଣିଥିଲା। ଏହାର ୪ ଦିନ ପରେ ଅର୍ଥାତ୍‌ ୬ ଅକ୍ଟୋବରରେ ଗୁଜରାଟ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମିଳିତ ଭାବେ ଚଢାଉ କରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ବଗ୍‌ରୋଦା ଶିଳ୍ପାଞ୍ଚଳର ଏକ ଫ୍ୟାକ୍ଟ୍ରିରୁ ୧,୮୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ର୍ ମୂଲ୍ୟର ଡ୍ରଗ୍ସ ଜବତ କରିଥିଲେ। ଏହାସହ ଏହି ଦିନ ମଧ୍ୟ ଦିଲ୍ଲୀ ପୋଲିସର ସ୍ପେଶିଆଲ ସେଲ୍‌ ପଞ୍ଜାବ ଅମୃତସରରୁ ୧୦ କୋଟି ଟଙ୍କାର କୋକେନ ଜବତ କରିଥିଲା। ମୋଟ ଜବତ ହେଉଥିବା ପରିମାଣ ଯେତେ ଅଧିକ ଦେଖାଗଲେ ବି ସମୁଦାୟ ମାଦକଦ୍ରବ୍ୟ କାରବାରର ଏହା ଏକ ନଗଣ୍ୟ ପ୍ରତିଶତ। ତେବେ ଭୋପାଳ ଘଟଣାରେ ଜବତ ଡ୍ରଗ୍ସର ମୁଖ୍ୟ ସୂତ୍ରଧର କୁହାଯାଉଥିବା ସାନ୍ୟାଲ ପ୍ରକାଶ ବାନେ ପୂର୍ବରୁ ଡ୍ରଗ୍ସ କାରବାରରେ ୫ ବର୍ଷ ଜେଲରେ ରହି ଜାମିନରେ ଆସିବା ପରେ ପୁନର୍ବାର ଡ୍ରଗ୍ସ କାରବାରରେ ଧରାପଡ଼ିଲେ। ବାନେଙ୍କୁ ମିଳିଥିବା ଜାମିନ ପ୍ରମାଣ କରୁଛି ଯେ, ଭାରତରେ ମାଦକ ଦ୍ରବ୍ୟ ସମ୍ପୃକ୍ତ ଆଇନକୁ ଅତି ସହଜରେ ମୋଡ଼ିଦେଇ ହେଉଛି। ଏଥିରୁ ବୁଝାପଡ଼ୁଛି, ବେଆଇନ ନିଶାଦ୍ରବ୍ୟ କାରବାରରେ ଜଡ଼ିତ ବ୍ୟକ୍ତିମାନଙ୍କ ପ୍ରତି କଠୋର ଦଣ୍ଡ ବ୍ୟବସ୍ଥା ନ ରହିବାରୁ ସେମାନେ ପୁନର୍ବାର ଏହି କାର୍ଯ୍ୟ କରିବାକୁ ସାହସ କରୁଛନ୍ତି। ଏହାସହ ଯେତେବେଳେ ଡ୍ରଗ୍ସ ଜବତ ହେଉଛି ସେତେବେଳେ ବ୍ୟବହାରକାରୀ କିମ୍ବା ତୃତୀୟପକ୍ଷକୁ ଧରି ଏନ୍‌ସିବି କିମ୍ବା ପୋଲିସ ବାହାବା ନେଉଛନ୍ତି। ସମୁଦ୍ର ପଥରେ କେତୋଟି ବୋଟକୁ ଧରିନେଇ ସଫଳତା ପାଇଲେ ବୋଲି ଦର୍ଶାଉଛନ୍ତି। ଦେଖିବାକୁ ଗଲେ ଭାରତକୁ ସ୍ଥଳ କିମ୍ବା ଜଳ ପଥରେ ଆସୁଥିବା ବିପୁଳ ପରିମାଣର ଡ୍ରଗ୍ସକୁ ରୋକିବାରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିଫଳ ହେଉଛନ୍ତି। ଏହା ବ୍ୟତୀତ ଦେଶ ଭିତରେ କାରବାରରେ ଜଡ଼ିତ ବିରାଟକାୟ ର଼୍ୟାକେଟ ପାଖରେ ଦକ୍ଷତା ଅଭାବରୁ ପହଞ୍ଚିପାରୁନାହାନ୍ତି କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ପହଞ୍ଚିବାକୁ ଚାହୁନାହାନ୍ତି।
ଉଲ୍ଲେଖନୀୟ ଯେ, ଭାରତରେ ଡ୍ରଗ୍ସ ପ୍ରବେଶର ସବୁଠୁ ବଡ଼ ମାଧ୍ୟମ ହୋଇଯାଇଛି ସମୁଦ୍ରପଥ। ବିଶେଷକରି ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳ ଓ ସେଠାକାର ବନ୍ଦରରୁ ଜବତ ହେଉଥିବା ମାଦକଦ୍ରବ୍ୟ ରେକର୍ଡ ଭାଙ୍ଗିଛି। ଉଦାହରଣ ସ୍ବରୂପ, ସେପ୍ଟେମ୍ବର ୨୦୨୧ରେ ଗୁଜରାଟର ଆଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ୨୧,୦୦୦ କୋଟି ଟଙ୍କାର ୩,୦୦୦ କେଜି ହେରୋଇନ ଜବତ ହୋଇଥିଲା। ଏହି ଘଟଣା ପରେ ବିଗତ ୩ ବର୍ଷ ମଧ୍ୟରେ ନିଶାଦ୍ରବ୍ୟ କାରବାରର ବଡ଼ ସୂଚନା ମିିଳି ଚାଲିଛି ଏବଂ ସମୟାନ୍ତରରେ ବିଶେଷକରି ଗୁଜରାଟ ଉପକୂଳରୁ ବିପୁଳ ପରିମାଣର କୋକେନ, ହେରୋଇନ ଓ ଇ-ସିଗାରେଟ ବରମ୍ବାର ଜବତ ହୋଇଛି। ଚଳିତ ବର୍ଷ ଫେବୃଆରୀରେ ଗୁଜରାଟ ଉପକୂଳରୁ ସବୁଠୁ ଅଧିକ ପରିମାଣର ୩,୩୦୦ କେ.ଜି.ଡ୍ରଗ୍ସ ଜବତ ହେବା ଭାରତରେ ନିଶାକାରବାର କ୍ରମାଗତ ଭାବେ ବୃଦ୍ଧି ହେଉଥିବାର ସଙ୍କେତ ଦିଏ। ଚିନ୍ତାର ବିଷୟ ହେଉଛି, ଭାରତରେ ନିଶା କାରବାର ବଢିବା ଦ୍ୱାରା କେବଳ ଯୁବପିଢ଼ି ନୁହେଁ, ଏହାକୁ ବୟସ୍କ ବ୍ୟକ୍ତି ମଧ୍ୟ ବ୍ୟବହାର କରିବା ଫଳରେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବୃଦ୍ଧି ପାଉଛି। ଏହିଭଳି ମାଦକଦ୍ରବ୍ୟ ବ୍ୟବହାର କରୁଥିବା ଲୋକମାନଙ୍କୁ ଅନେକ ପ୍ରକାର ରୋଗ ହୋଇଥାଏ, ଯାହାର ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡ଼ିଥାଏ। ଇତିହାସକୁ ଦେଖିଲେ ଚାଇନାର ଓପିଅମ ଯୁଦ୍ଧ ମନେପଡ଼େ। ସେଥିରେ ସେହି ଦେଶର ପିଢ଼ି ପରେ ପିଢ଼ି ନାଗରିକଙ୍କୁ ଅଫିମ କବଳରେ ନେଇଯିବା ପରେ ବ୍ରିଟିଶ ଶାସନ କରିବାକୁ ଚେଷ୍ଟା କରିଥିଲେ। ଆଜି ଭାରତରେ ସେହିଭଳି ଏକ ଅଦୃଶ୍ୟ ଆକ୍ରମଣ କରାଯାଉଛି। ଧନୀ ଲୋକଙ୍କୁ ଦାମିକା କୋକେନର ନିଶା ଗ୍ରାସ କରୁଥିବାବେଳେ ଗରିବଙ୍କୁ ହେରୋଇନ ଏବଂ ବ୍ରାଉନସୁଗାର ନିଶା ମାଡ଼ି ବସିଲାଣି। ଯେଉଁମାନେଏହି ସମସ୍ୟାକୁ ଦେଖିବାକୁ ଚାହଁୁନାହାନ୍ତି, ସେମାନଙ୍କ ପାଇଁ ଏହା ସମସ୍ୟା ନୁହେଁ। ଆଜି ମାଓବାଦୀଙ୍କୁ ସ୍ପଷ୍ଟ ତାରିଖ ସୁଦ୍ଧା ବିନାଶ କରିଦେବେ ବୋଲି ଘୋଷଣା କରୁଥିବା ସରକାର ଡ୍ରଗ୍ସ କାରବାର ସମ୍ପର୍କରେ ପଦଟିଏ ମଧ୍ୟ ଉଚ୍ଚାରଣ କରୁନାହାନ୍ତି। ଏଭଳି ମାରାମତ୍କ ରାଜନୈତିକ ପ୍ରଚ୍ଛଦପଟରେ ସାମାଜିକ ସଚେତନତା କେବଳ ମାତ୍ର ଆଶା ଭାବେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କର୍ନାଟକର ସୁରେଶ ଏସ୍‌ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି ଗୁଆ ଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି।...

ଗରିବର ଇଜ୍ଜତ

ଗରିବ ଲୋକର ହାତର ଅଙ୍ଗୁଳି ଓ ହୃଦୟ ବୋଧହୁଏ ଗୋଟିଏ ଶରୀରରେ ଅବସ୍ଥିତ ନୁହେଁ ଅବା ରାଜନେତାମାନେ ଏ ବିଷୟରେ ଅବଗତ ନାହାନ୍ତି, ନ ହେଲେ...

ଭଗବାନଙ୍କ ନାଁରେ ମିଛ

ବଞ୍ଚିବା ଲାଗି ଖାଦ୍ୟ ଦରକାର ଏବଂ ଖାଦ୍ୟ ଦୃଷ୍ଟିରୁ ଦୁନିଆରେ ପ୍ରତ୍ୟେକ ଜୀବନ୍ତ ଜିନିଷ ଦୁଇ ଭାଗରେ ବିଭକ୍ତ – ଗୋଟିଏ ଆତ୍ମଜୀବୀ ବା ଅଟୋଟ୍ରଫିକ୍‌,...

ଏଇ ଭାରତରେ

କେତେକେ ନିଜ ଘରେ ଆଣ୍ଠୁଆ ଗୋପାଳଙ୍କୁ ରଖି ପୂଜା କରନ୍ତି। କିନ୍ତୁ ଆଣ୍ଠୁଆ ଗୋପାଳ ସ୍କୁଲରେ ପାଠ ପଢ଼ିବା କଥା କେହି ହୁଏତ ଶୁଣି ନ...

କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ

ପ୍ରତିବର୍ଷ ଅକ୍ଟୋବର ୧ରୁ ୮ ପର୍ଯ୍ୟନ୍ତ ବିଶ୍ୱ ମାନସିକ ସପ୍ତାହ ଭାବେ ପାଳନ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି ‘କର୍ମ କ୍ଷେତ୍ରରେ...

ପରିବର୍ତ୍ତିତ ପରିସ୍ଥିତିରେ ‘ଧର୍ମନିରପେକ୍ଷତା’

ଭାରତ ଏକ ପବିତ୍ର ଓ ଦିବ୍ୟଭୂମି। ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ହିମାଳୟଠାରୁ କନ୍ୟାକୁମାରୀ ପରିବ୍ୟାପ୍ତ ଏହାର ବିଶାଳ ଭୂମିରେ ବହୁ ଧର୍ମ, ସମ୍ପ୍ରଦାୟ, ଭାଷା...

ବର୍ଷକର ଯୁଦ୍ଧ

ଆଜକୁ ବର୍ଷେ ତଳେ ଅକ୍ଟୋବର ୭ରେ ପାଲେଷ୍ଟିନୀୟ ସଙ୍ଗଠନ ହମାସ ଇହୁଦୀ ରାଷ୍ଟ୍ର ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରି ୧,୨୦୦ ଲୋକଙ୍କ ଜୀବନ ନେଇଥିବା...

କୃଷିରେ ଯାନ୍ତ୍ରିକୀକରଣ

କଟରେ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣର ସଂସଦୀୟ ସ୍ଥାୟୀ କମିଟିି ଭାରତର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ କୃଷିକାର୍ଯ୍ୟରେ ଯାନ୍ତ୍ରିକୀକରଣର ବୃଦ୍ଧି ଉପରେ ଗୁରୁତ୍ୱାରୋପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri