ନୂଆଦିଲ୍ଲୀ,୩।୧୨:: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୨୪ ତାରିଖରେ ହେବ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି। ଏହି ବୈଠକରେ ଆଇପିଏଲରେ ଦୁଇ ନୂଆ ଟିମ ଖେଳାଇବାଠାରୁ ଆରମ୍ଭ କରି ଅଲିମ୍ପିକରେ କ୍ରିକେଟ୍ରେ ସାମିଲ ସମେତ ୨୩ଟି ପଏଣ୍ଟ ଉପରେ ଆଲୋଚନା ହେବ। ବିସିସିଆଇ ସମ୍ପାଦକ ଲେଖିଛନ୍ତି, ବିସିସିଆଇର ୮୯ତମ ଏଜିଏମ ଡିସେମ୍ବର ୨୪ ତାରିଖରେ ହେବ। ବୈଠକର ସ୍ଥାନ ଓ ଏହାର ପରବର୍ତ୍ତୀ ସୂଚନା ଖୁବଶୀଘ୍ର ସୂଚାଇ ଦିଆଯିବ। ସମସ୍ତେ ଏହି ବୈଠକରେ ଯୋଗ ଦେବାକୁ ନିବେଦନ କରାଯାଇଛି। ସେହିପରି ବୈଠକରେ କ୍ରିକେଟକୁ ଯଥାଶୀଘ୍ର ଅଲିମ୍ପିକ୍ସରେ ସାମିଲ କରିବା ଉପରେ ଆଲୋଚନା ହେବ। ୨୦୨୮ ଲସ ଆଞ୍ଜେଲିସ ଅଲିମ୍ପିକ୍ସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ବିସିସିଆଇ ଚେଷ୍ଟା କରୁଛି।