ଭିଜିଲାନ୍ସ ଜାଲରେ ଅତିରିକ୍ତ ରାଜସ୍ବ ନୀରିକ୍ଷକ

ବାରିପଦା ଅଫିସ,୨ା୧୨: ମୟୂରଭଞ୍ଜ ଜିଲା ଯଶୀପୁର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ରାଜସ୍ବ ନୀରିକ୍ଷକ ଭାର୍ଗବ ମହାକୁଡ଼ ଶୁକ୍ରବାର ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ା ତାଙ୍କଠାରୁ କେମିକାଲ୍‌ ବୋଳା ସମସ୍ତ ନୋଟ୍‌ ଜବତ ହେବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳକୁ ନେଇ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ମାମଲା(ନଂ. ୩୪/୨୨) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଯଶୀପୁର ତହସିଲ ଅଧୀନ କାଳିଆଣି ଗ୍ରାମର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଏକ ଜମିର ମ୍ୟୁଟେସନ ବାବଦକୁ ଅତିରିକ୍ତ ରାଜସ୍ବ ନୀରିକ୍ଷକ ମହାକୁଡ଼ ଅଗ୍ରୀମ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ା ଏହା ପରେ ଆହୁରି ୪୦ହଜାର ଦାବି କରିଥିଲେ। ଏ ନେଇ ଭୀଷ୍ମ ଚରଣ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଖଡ଼ିଆ-ମାଙ୍କିଡିଆ ଅଫିସ ପାଖରେ ଅତିରିକ୍ତ ରାଜସ୍ବ ନୀରିକ୍ଷକ ମହାକୁଡ଼ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ପରେ ତାଙ୍କ ଅଫିସ କାଗଜପତ୍ର ତନଖି ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share