ଅନୁଗୋଳ ଅତିରିକ୍ତ ଏସ୍‌ପିଙ୍କ ଅକାଳ ବିୟୋଗ

ଅନୁଗୋଳ,୧୮ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ (୫୮)ଙ୍କ ଗୁରୁବାର ସକାଳେ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଛି। ବଜାରରୁ ଫେରି ଘରେ କିଛି କାମ କରୁଥିବା ବେଳେ ତାଙ୍କର ବାନ୍ତି ହୋଇଥିଲା। ଏହାପରେ ସେ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ଜଣାପଡ଼ିବା ପରେ ଜିଲା ପୋଲିସରେ ଶୋକର ଛାୟା ଖେଳିଯାଇଥିଲା। ସ୍ବର୍ଗତ ପାଣିଗ୍ରାହୀ ଜଣେ କର୍ମଠ, ନ୍ୟାୟବନ୍ତ ପୋଲିସ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ। ନିକଟରେ ତାଙ୍କର ବାଲେଶ୍ବର ଜିଲାକୁ ବଦଳି ହୋଇଥିଲା। କିଛି ଦିନ ମଧ୍ୟରେ ସେ ନୂଆ ସ୍ଥାନରେ ଯୋଗଦେବାର ଥିଲା। ତାଙ୍କ ମୃତ୍ୟୁ ଖବରପାଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଅପରାହ୍ନରେ ଛେଳିଆପଡ଼ା ପୋଲିସ ରିଜର୍ଭ ପଡ଼ିଆରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ତାଙ୍କ ପୈତୃକ ଘର ସୋନପୁର ଜିଲାରେ ହୋଇଥିବା ବେଳେ ବଲାଙ୍ଗୀରରେ ସେ ରହି ଆସୁଥିଲେ। ତେଣୁ ତାଙ୍କ ପାର୍ଥିବ ଶରୀର ସେଠାକୁ ନିଆଯାଇଛି। ପରଲୋକ ବେଳେ ତାଙ୍କ ନିକଟରେ ସ୍ତ୍ରୀ ସସ୍ମିତା ପାଣିଗ୍ରାହୀ ଉପସ୍ଥିତ ଥିଲେ।