ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ଗଛଡ଼ାଳ ଭାଙ୍ଗି ପିଟିଲେ ଆକ୍ରମଣକାରୀ

ଗଞ୍ଜାମ,୮।୫(ଡି.ଏନ୍‌.ଏ.): ବାଲି ଚୋରା ଚାଲାଣକୁ ରୋକିବାକୁ ଯାଇ ଲହୁଲୁହାଣ ହୋଇଛନ୍ତି ଅତିରିକ୍ତ ତହସିଲଦାରଙ୍କ ସମେତ ୩ ଆର୍‌ଆଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ତହସିଲ ଅଧୀନ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁରରେ । ଆକ୍ରମଣକାରୀମାନେ ଗଛଡ଼ାଳ ଭାଙ୍ଗି ଉପସ୍ଥିତ ଅଫିସର ଓ ଆରଆଇମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ମାଳିଜଗନ୍ନାଥପୁର ଗ୍ରାମ ନିକଟରେ ବାଲି ଚୋରା ଚାଲାଣ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଚଢ଼ାଉ କରି ଆକ୍ରମଣର ଶିକାର ହୋଇଛନ୍ତି। ଦୈନନ୍ଦିନ ସେଠାରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ରବିବାର ଭୋରରୁ ଅତିରିକ୍ତ ତହସିଲଦାର ଓ ହୁମା, ବଡ଼ ରାମଚନ୍ଦ୍ରପୁର ଓ ବୁରୁ ଆର୍‌ଆଇ ସେଠାରେ ପହଞ୍ଚିବା ପରେ ହଠାତ୍‌ ୪ଜଣ ବ୍ୟକ୍ତି ଅତର୍କିତ ଆକ୍ରମଣ କରିଥିଲେ । ଏପରି କି ପିସ୍ତଲ ଦେଖାଇ ଭୟଭୀତ କରିବା ସହ ମୁଦି, ସୁନା ଚେନ, ମୋବାଇଲ ଫୋନ, ପର୍ସ ଛଡ଼େଇ ନେଇଯାଇଥିଲେ। ଜୀବନ ବଞ୍ଚେଇବାକୁ ଯାଇ ଭୟରେ ସେଠାରୁ ସେମାନେ ପଳେଇ ଆସିଥିଲେ। ଆକ୍ରମଣକାରୀଙ୍କ ମାଡ଼ରେ ଅଫିସରମାନଙ୍କ ପିଠି ଫାଟି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଥାନା ଆଇଆଇସି ସ୍ବରୂପ କିଷାନ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ତହସିଲ ଅଫିସ ପକ୍ଷରୁ ଗଞ୍ଜାମ ଥାନାରେ ଏତଲା ଦିଆଯାଇଛି । କିଛି ଅଭିଯୁକ୍ତ ଚି଼ହ୍ନଟ ହୋଇଛନ୍ତି, ଖୁବ୍‌ଶୀଘ୍ର ସେମାନଙ୍କୁ ଧରା ଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଥାନା ପକ୍ଷରୁ କୁହାଯାଇଛି।

Share