Categories: ଜାତୀୟ

‘ମାଇଁ ଲର୍ଡ’ ନୁହେଁ, ‘ସାର୍‌’ ସମ୍ବୋଧନ କର

କୋଲକାତା,୧୭ା୭(ପି.ଟି.):କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟିବିଏନ୍‌ ରାଧାକ୍ରିଷ୍ଣନ୍‌ ବିଚାର ବିଭାଗୀୟ ବ୍ୟବସ୍ଥାରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ତାଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’ ପରିବର୍ତ୍ତେ ‘ସାର୍‌’ ସମ୍ବୋଧନ କରିବା ପାଇଁ ପଶ୍ଚିମବଙ୍ଗ ଓ ଆଣ୍ଡାମାନର ନ୍ୟାୟିକ ଅଧିକାରୀମାନଙ୍କୁ ଜଷ୍ଟିସ୍‌ ରାଧାକ୍ରିଷ୍ଣନ୍‌ ପରାମର୍ଶ ଦେଇଛନ୍ତି।
କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ରାଧାକ୍ରିଷ୍ଣନ୍‌ ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ନିମ୍ନ ଅଦାଲତଗୁଡ଼ିକରେ ଥିବା ବିଚାରପତି ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଆଗ୍ରହ ପ୍ରକାଶ କରିଛନ୍ତି ଯେ ଏଣିକି ସମସ୍ତ ଜିଲାସ୍ତରୀୟ ବିଚାରପତିମାନେ ତାଙ୍କୁ ସବୁ ପ୍ରକାର ବିଚାର ବିଭାଗୀୟ ଓ ପ୍ରଶାସନିକ କାର୍ଯ୍ୟ ସମ୍ପର୍କିତ ଦସ୍ତାବିଜରେ ସାର୍‌ ସମ୍ବୋଧନ କରନ୍ତୁ। ସେ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’ ପରିବର୍ତ୍ତେ ତାଙ୍କୁ ‘ସାର୍‌’ ଡାକ ଶୁଣିବାକୁ ପସନ୍ଦ କରିବେ। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ରାୟ ଚଟ୍ଟୋପାଧ୍ୟାୟ ମୁଖ୍ୟ ବିଚାରପତି ଥୋଟ୍ଟିଲ ବି. ନାୟାର ରାଧାକ୍ରିଷ୍ଣନ୍‌ଙ୍କ ଏହି ସନ୍ଦେଶକୁ ସମସ୍ତ କୋର୍ଟକୁ ପଠାଇଦେଇଛନ୍ତି।

Share