ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ଆଡିୟୁ ଗୋଡାର୍ଡ’

ଭୁବନେଶ୍ୱର, ୧୯।୪ (ବ୍ୟୁରୋ): ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ତଥା ସ୍ବସ୍ତିକ ଆର୍ଟ ହାଉସ୍‌ ବ୍ୟାନରରେ ନିର୍ମିତ ହୋଇଥିବା ଫିଚର ଫିଲ୍ମ ‘ଆଡିୟୁ ଗୋଡାର୍ଡ’ର ଓ୍ବାଲର୍‌ଡ ପ୍ରିମିୟର ୪୩ତମ ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଭାରତ-ଫ୍ରାନ୍ସ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଚୌଧୁରୀ ବିକାଶ ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫ୍ରାନ୍ସର ଚଳଚ୍ଚିତ୍ର ନିର୍ମାତା ଜିନ୍‌ ଲୁକ୍‌ ଗୋଡାର୍ଡଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଓଡ଼ିଶାରେ ଶୁଟିଂ କରାଯାଇଛି। ୧ଘଣ୍ଟା ୩୦ ମିନିଟ ଅବଧିର ଏହି ଚଳଚ୍ଚିତ୍ରର ସହନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଗୌତମ, ନଚିକେତା ସ୍ବାଇଁ ଓ ଆଶୁତୋଷ ପଟ୍ଟନାୟକ। ସେହିପରି ଦୀପାନ୍ବିତ ଦାଶ ମହାପାତ୍ର, ସୁଧାଶ୍ରୀ ମଧୁସ୍ମିତା, ସ୍ବସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବସୁ ମଲ୍ଲିକ ଓ ଅଭିଷେକ ଗିରିି ଚଳଚ୍ଚିତ୍ରରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ।
ତେବେ ଏହି ଚଳଚ୍ଚିତ୍ର ନିର୍ମାଣ କରିବା କଷ୍ଟକର ବ୍ୟାପାର ଥିଲା ବୋଲି ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଏହା ଏକ ସ୍ବତନ୍ତ୍ର ଚଳଚ୍ଚିତ୍ର। ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିବାରୁ ବହୁତ ଖୁସି ଲାଗୁଛି। ଏହା ଦର୍ଶକାଦୃତ ହେବ ବୋଲି ସେ ଆଶା ରଖିଛନ୍ତି। ନିର୍ମାତା ତଥା ଅଭିନେତା ସ୍ବସ୍ତିକ ଚୌଧୁରୀ ମଧ୍ୟ ଏନେଇ ଉତ୍ସାହିତ ଥିବା କହିଛନ୍ତି। ସହ ପ୍ରଯୋଜନା ଦାୟିତ୍ୱରେ ଥିବା ଫ୍ରାନ୍ସର ଭେନେସା ଲିଏନ୍‌ ଫ୍ରେଡେରିକ୍‌ ବିୟାଞ୍ଚତ୍ ମଧ୍ୟ ନିଜର ଖୁସି ଜାହିର କରିଛନ୍ତି। ଏହି ଚଳଚ୍ଚିତ୍ର ଗୋଡାର୍ଡଙ୍କୁ ଓଡିଶାରେ ପରିଚିତ କରାଇବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।

Share