ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି

ପୁରୀ ଅଫିସ,୪ା୭: ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହୋଇଛି। ବିନା ଭକ୍ତରେ ରଥାରୂଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ତିନିରଥରେ ମଧ୍ୟାହ୍ନ ଧୂପ ବଢ଼ିବାପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ। ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ଲାଗି ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର, ଜାଇଫଳ ଓ କର୍ପୁର ଆଣି ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା। ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧାଯାଇଥିଲା। ଏହାପରେ ମହାସୁଆରମାନେ ଛେନା, ଛାଚି, ସର, କଦଳୀ, ଗୋଲମରିଚ, ଜାଇଫଳ ଆଦି ପକାଇ ଅଧର ପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗା ଯାଇଥିଲା। ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହି ଯାଇଥିଲା। ଉକ୍ତ ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷାସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ୮ଟାରେ ଅଧରପଣା ନୀତି ଶେଷ ହେବାକୁ ଥିବାବେଳେ ଏହା ରାତି ୮ଟା ୧୨ରେ ସରିଥିଲା। ପ୍ରଥମେ ତାଳଧ୍ୱଜ ରଥରେ ସନ୍ଧ୍ୟା ୭ଟା ୫୪ରେ, ନନ୍ଦିଘୋଷ ରଥରେ ରାତି ୮ଟା ୯ରେ ଏବଂ ଶେଷରେ ଦର୍ପଦଳନ ରଥରେ ୮ଟା ୧୨ରେ ଅଧରପଣା ହାଣ୍ଡି ଭଙ୍ଗା ଯାଇଥିଲା। ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ।
ତେବେ ଏଥର ବିନା ଭକ୍ତରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଗତବର୍ଷ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଏହି ଅଧରପଣା ନୀତି ଦର୍ଶନ କରିଥିଲେ। କିନ୍ତୁ ଏବର୍ଷ କୌଣସି ଭକ୍ତ ନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିନା ଭକ୍ତରେ ଏହି ନୀତି ସମ୍ପନ୍ନ କରାଯାଇଛି। ଏଥିପାଇଁ ବଡ଼ଦାଣ୍ଡର ମାର୍କେଟ ଛକରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା।

ବିଧି ପୂର୍ବରୁ ଭାଙ୍ଗିଗଲା ଅଧରହାଣ୍ଡି
ଅଧରପଣା ନୀତିରେ ପ୍ରତି ରଥରେ ତିନୋଟି ଲେଖାଏ ମୋଟ ୯ଟି ଅଧରହାଣ୍ଡି ଭଙ୍ଗା ଯାଇଥାଏ। ହାଣ୍ଡିଗୁଡ଼ିକରେ ପଣା ଭର୍ତ୍ତି ହେବା ପରେ ଅଧରପଣା ଭୋଗ ହୋଇଥାଏ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ସାରିବା ପରେ ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଏ। ମାତ୍ର ବଳଭଦ୍ରଙ୍କ ରଥରେ ଅଧର ହାଣ୍ଡିରେ ପଣା ଭର୍ତ୍ତି କରାଯାଉଥିବାବେଳେ ତିନୋଟି ହାଣ୍ଡି ମଧ୍ୟରୁ ମଝି ହାଣ୍ଡିଟି ଭାଙ୍ଗି ଯାଇଥିଲା। ଫଳରେ ପଣା ସବୁ ବୋହି ଯାଇଥିଲା। ପରେ ଗୋଟିଏ ଛୋଟିଆ ହାଣ୍ଡି ସେହି ସ୍ଥାନରେ ରଖାଯାଇ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା। ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଗୋଟିଏ ନୂଆ ହାଣ୍ଡି ଯୋଗାଇ ଦିଆଯାଇଥିଲା କିନ୍ତୁ ତାହା ବ୍ୟବହାର ହୋଇ ନ ଥିଲା। ତାଳଧ୍ୱଜ ରଥରେ ଏକ ଛୋଟ ହାଣ୍ଡିରେ ହିଁ ନୀତି ସମ୍ପନ୍ନ କରାଯାଇଥିଲା।

Share