Categories: ଜାତୀୟ

ଅଧୀର ରଞ୍ଜନଙ୍କ ଭାଷଣରୁ ହଟାଗଲା ବିବାଦୀୟ ଅଂଶ: ବିରୋଧ ପାଇଁ ପ୍ରସ୍ତୁତ କଂଗ୍ରେସ

ନୂଆଦିଲ୍ଲୀ,୧୦ା୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୁରୁବାର ଗୃହରୁ ନିଲମ୍ବିତ କରାଯାଇଛି। ପ୍ରଥମ ଥର ପାଇଁ ଲୋକ ସଭାର କଂଗ୍ରେସ ନେତାଙ୍କୁ ନିଲମ୍ବନ ଆଦେଶ ଦିଆଯାଇଛି। ବିରୋଧୀ ଦଳ ବିରୋଧ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏବେ କୁହାଯାଇଛି ଯେ ଲୋକସଭା ସଚିବାଳୟ ମଧ୍ୟ ଅଧୀର ରଞ୍ଜନଙ୍କ ଭାଷଣରୁ କିଛି ବିବାଦୀୟ ଅଂଶ ହଟାଇ ଦେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ସହ ତୁଳନା ଅଂଶକୁ ହଟାଇ ଦିଆଯାଇଥିବା ଜଣାପଡିଛି।
ଅଧୀରଙ୍କୁ ନିଲମ୍ବନ କରିବା ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ପ୍ରସ୍ତାବ ଆଣିଥିଲେ। କଂଗ୍ରେସ ନେତା ଜାଣିଶୁଣି ବାରମ୍ବାର ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସ୍ବାଧିକାର କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବା ପର୍ଯ୍ୟନ୍ତ ସେ ଗୃହରୁ ନିଲମ୍ବିତ ହୋଇ ରହିବେ ବୋଲି ଜୋଷୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କାହାକୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ଓ ସେ କୌଣସି ଭୁଲ୍‌ କରିନାହାନ୍ତି ବୋଲି ଅଧୀର ଖବରଦାତାମାନଙ୍କୁ କହିଛନ୍ତି।

Share