Categories: ଜାତୀୟ

ଇସ୍ତଫା ଦେଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୧୪।୬:ପଶ୍ଚିମବଙ୍ଗର କଂଗ୍ରେସ ସଭାପତି ଆଧୀର ରଞ୍ଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି। ସେ ଦଳର ହାଇ କମାଣ୍ଡଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫାରେ ସେ କହିଛନ୍ତି, ମମତା ବାନାର୍ଜୀଙ୍କ ସହ ମେଣ୍ଟ ପାର୍ଟି ଆଲୋଚନା କରୁଥିବାବେଳେ ମୁଁ ଇସ୍ତଫା ଦେଇଥିଲି, କିନ୍ତୁ ମୋତେ ଅଟକାଇ ଦିଆଯାଇଥିଲା। ବର୍ତ୍ତମାନ ନିର୍ବାଚନ ସରିଛି ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ହାଇକମାଣ୍ଡ ତାଙ୍କୁ ଏହି ପଦରେ ରହିବାକୁ କହିଛନ୍ତି।

୨୦୧୯ରୁ ୨୦୧୪ପର୍ଯ୍ୟନ୍ତ ସେ ଲୋକ ସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଥିଲେ। ଚଳିତ ନିର୍ବାଚନରେ ସେ ପଶ୍ଚିମବଙ୍ଗର ବହରମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଟିଏମସି ନେତା ତଥା କ୍ରିକେଟର ୟୁସୁଫ ପଠାନ ତାଙ୍କୁ ୮୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ୟୁସୁଫ ପଠାନ ୫,୨୪,୫୧୬ ଭୋଟ ପାଇଥିବାବେଳେ ଆଧୀର ରଞ୍ଜନ ଚୌଧରୀ ୪,୩୯,୪୯୪ ଭୋଟ ପାଇଛନ୍ତି।

ପଶ୍ଚିମବଙ୍ଗ ରାଜନୀତିରେ ଆଧୀର ଚୌଧୁରୀ ଏକ ବଡ ଚେହେରା। ଏହା କେବଳ ଆଜିର କଥା ନୁହେଁ, ସେ ବିରୋଧୀ ଦଳର ନେତା ଭାବରେ ପଶ୍ଚିମବଙ୍ଗର ମମତା ସରକାରଙ୍କ ସହ ବର୍ଷ ବର୍ଷ ଧରି ଲଢୁଛନ୍ତି। ପାର୍ଟି ହାଇକମାଣ୍ଡ ସହିତ ଅଧିରଙ୍କ ମତଭେଦ ସାମ୍ନାକୁ ଆସିଥିଲା ଯେତେବେଳେ ପଶ୍ଚିମବଙ୍ଗ କଂଗ୍ରେସ ମମତା ବାନାର୍ଜୀଙ୍କ ଦଳ ସହ ଏକ ମେଣ୍ଟ ନେଇ ଆଲୋଚନା କରୁଥିଲା। ଅଧିର କେବେ ବି ଟିଏମସି ସହ ମେଣ୍ଟ ନେଇ ରାଜି ନ ଥିଲେ। ଏହାପରେ ବି ମମତା ପଛରେ ଇଣ୍ଡିଆ ସହ ମେଣ୍ଟ ନ କରିବାକୁ ସଫା ସଫା ମନା କରି ଦେଇଥିଲେ।

ସୂଚନାଥାଉ କି, ପଶ୍ଚିମବଙ୍ଗରେ ୪୦ଟି ଲୋକ ସଭା ଆସନ ରହିଛି। କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ କେବଳ ଗୋଟିଏ ଆସନ ଜିତି ପାରିଛି। ଏଥି ସହିତ ରାଜ୍ୟର ଶାସକ ଦଳ ଟିଏମସି ୨୯ଟି ଆସନ ଜିତିବାରେ ସଫଳ ହୋଇଛି। ଏଥିସହ ଭାଜପା ଆକାଉଣ୍ଟକୁ ମାତ୍ର ୧୨ଟି ଆସନ ଯାଇଛି। ଚଳିତ ନିର୍ବାଚନରେ ଟିଏମସି ଗତ ନିର୍ବାଚନ ତୁଳନାରେ ୭ଟି ଆସନ ଅଧିକ ମିଳିଥିବାବେଳେ କଂଗ୍ରେସ ଗୋଟିଏ ଆସନ ଓ ଭାଜପା ୬ଟି ଆସନ ହରାଇଛି।

Share