Categories: ଜାତୀୟ

ନିରବ ମୋଦି ଟିପ୍ପଣୀକୁ ନେଇ ଭାଜପାକୁ ଟାର୍ଗେଟ କଲେ ଅଧୀର ରଂଜନ, ଗେରୁଆ ଶଦ୍ଦକୋଷ ପ୍ରସ୍ତୁତ କରନ୍ତୁ ସରକାର

ନୂଆଦିଲ୍ଲୀ,୧୨।୮: ନୂଆଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ। ସଂସଦରେ ସେ ଅନିୟନ୍ତ୍ରିତ ବ୍ୟବହାର ପାଇଁ ନିଲମ୍ବିତ ହୋଇଛନ୍ତି। ତେଣୁ ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋର ମନ୍ତବ୍ୟ କାହାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନ ଥିଲା। ମୁଁ ମୋ ଯୁକ୍ତିକୁ ସ୍ପଷ୍ଟ ଭାବରେ ଗୃହରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିଲି। ତେବେ ଯଦି ଆବଶ୍ୟକ ହୁଏ ସେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି।

ଯେତେବେଳେ ବି ମୋତେ ସଂସଦର ବିଶେଷାଧିକାର କମିଟିର ଡକରା ଆସିବ ମୁଁ ନିଶ୍ଚିତ ଯିବି। ଆମେ ସମସ୍ତ ନିୟମ ଏବଂ ପରମ୍ପରାକୁ ଅନୁସରଣ କରୁ। ମୋତେ ପ୍ରଥମେ ଫାଶୀ ଦିଆଯାଇଛି ଏବଂ ପରେ ମକଦ୍ଦମାର ସାମ୍ନା କରିବାକୁ କୁହାଯାଉଛି। ବିରୋଧୀଦଳର ସ୍ବରକୁ ଚାପିଦେବା ପାଇଁ ଶାସକ ଦଳର ଏହା ସୁଚିନ୍ତିତ ଷଡଯନ୍ତ୍ର। ଏହା ସଂସଦୀୟ ଗଣତନ୍ତ୍ରର ଆତ୍ମାକୁ ଦୁର୍ବଳ କରିଛି। ମୋର ଉଦ୍ଦେଶ୍ୟ ସ୍ପଷ୍ଟ ଭାବରେ ମୋର ଯୁକ୍ତି ଦର୍ଶାଇବା ଏବଂ ମୋ ମନକୁ ଯାହା ଆସିଲା ତାହା ପ୍ରକାଶ କରିବା। ତେବେ ଏହା ମୋର ଭୂଲ ଥିଲା କି ବୋଲି ଅଧୀର ରଂଜନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ମୁଁ ଗୃହରେ ଯାହା କହିଥିଲି ସେଥିରେ ମୋର କିଛି ବି ଦୋଷ ନାହିଁ। ତେବେ ସରକାର ଏକ ଗେରୁଆ ଶଦ୍ଦକୋଷ ପ୍ରସ୍ତୁତ କରନ୍ତୁ ଏବଂ ବିରୋଧୀ ସେହି ଅଭିଧାନରେ ଥିବା ଶଦ୍ଦକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି।

Share