ପ୍ରଯୋଜିକା ହେବେ କ୍ରିତି

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ଅଭିନିତ ମୁଭି ‘ଆଦିପୁରୁଷ’ ଜୁନ ୧୬ରେ ରିଲିଜ ହେବାକୁ ଯାଉଛି, ଯେଉଁଥିରେ ପ୍ରଭାସ ଏବଂ ଶୈଫ ଅଲି ଖାନ ତାଙ୍କ ସହ ଅଛନ୍ତି। ଏହା ବ୍ୟତୀତ ସେ କରୀନା କପୁର ଖାନ ଏବଂ ତବୁଙ୍କ ସହ ‘ଦ କ୍ରୁ’ରେ ଏବଂ ଟାଇଗର ଶ୍ରଫଙ୍କ ସହ ‘ଗଣପତ’ରେ ନଜର ଆସିବେ। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ତାଙ୍କ ପାଖରେ ଏକ ଓଟିଟି ପ୍ରୋଜେକ୍ଟ ମଧ୍ୟ ଅଛି। କିନ୍ତୁ ଏହି ପ୍ରୋଜେକ୍ଟର ଖାସ ବାତ୍‌ ହେଉଛି ସେ କେବଳ ଏହି ଫିଲ୍ମରେ ଅଭିନୟ କରିବେ ନାହିଁ, ବରଂ ଏହାକୁ ମଧ୍ୟ ପ୍ରଯୋଜନା କରିବେ।

ଥରେ ଏକ ଇଣ୍ଟରଭ୍ୟୁରେ କ୍ରିତି କହିଥିଲେ, ଅଭିନୟ ବ୍ୟତୀତ ସେ ଚଳଚ୍ଚିତ୍ର ନିର୍ମାଣ, ପ୍ରଡକ୍ସନ ପାଇଁ ମଧ୍ୟ ବହୁତ ଆଗ୍ରହୀ। ଯେତେବେଳେ ସେ ଡିଜିଟାଲ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଶୁଣିଲେ, ସେତେବେଳେ ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଏହାର ପ୍ରଡକ୍ସନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆସନ୍ତା ବର୍ଷ କ୍ରିତି ଫିଲ୍ମ ଇଣ୍ଡଷ୍ଟ୍ରିରେ ଦଶ ବର୍ଷ ପୂରଣ କରିବେ ଏବଂ ସେ ଅନୁଭବ କରୁଛନ୍ତି ଯେ ଅଭିନୟ ବ୍ୟତୀତ ଅନ୍ୟ କିଛିରେ ଚେଷ୍ଟା କରିବାର ଏହା ହେଉଛି ଉପଯୁକ୍ତ ସମୟ। ଏହି ପ୍ରୋଜେକ୍ଟକୁ ନେଇ ବିଶେଷ ସୂଚନା କିଛି ଏବେ ପର୍ଯ୍ୟନ୍ତ ମିଳିନାହିଁ।

Share