୨୦ ହଜାର ସ୍କ୍ରିନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ହିନ୍ଦୀରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ‘ବାହୁବଳି-ଦ କନକ୍ଲୁଜନ’ ପରେ ଏବେ ଅଭିନେତା ପ୍ରଭାସଙ୍କ ଫିଲ୍ମ ଏହି ରେକର୍ଡ ଭାଙ୍ଗିବ କି ନା ତାକୁ ନେଇ ଚାଲିଛି ଚର୍ଚ୍ଚା । ଶନିବାର ମୁମ୍ବାଇ ଫିଲ୍ମ ଜଗତରେ ସାରା ଦିନ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଭାସଙ୍କ ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ଏବେ ବିଶ୍ୱର ପ୍ରାୟ ୨୦ ହଜାର ସ୍କ୍ରିନରେ ରିଲିଜ ହେବାର ଯୋଜନା କରାଯାଉଛି । ଯଦି ଏମିତି ହେଲା ତେବେ ଏହା ସବୁଠାରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିବା ପ୍ରଥମ ଭାରତୀୟ ଫିଲ୍ମ ହେବ । ଶୁଣିବାକୁ ମିଳିଛି ପ୍ରଭାସଙ୍କ ଏହି ଫିଲ୍ମ ମୁଖ୍ୟ ଭାରତୀୟ ଭାଷା ଓ ଇଂରାଜୀ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଓ ଚାଇନାରେ ସେଠାକାର ଅଲଗା ଅଲଗା ଭାଷାରେ ବି ରିଲଜ କରାଯିବ । ଏହି ଫିଲ୍ମ ୧୧ ଅଗଷ୍ଟରେ ରିଲିଜ ହେବ । ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ କୃତି ସାନନ ସୀତା ଓ ଶୈଫ ଅଲି ଖାଁ ରାବଣ ଚରିତ୍ରରେ ନଜର ଆସିବେ ।
ସୂଚନାଯୋଗ୍ୟ, ନିର୍ଦ୍ଦେଶକ ଓମ ରାଉତ ଏହା ପୂର୍ବରୁ ଅଜୟ ଦେବଗନଙ୍କ ସହ ‘ତାନାଜୀ’ ଫିଲ୍ମ କରି ସାରିଛନ୍ତି । ଏହା ୨୦୨୦ରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ରହିଛି । ଏବେ ‘ଆଦିପୁରୁଷ’କୁ ନିର୍ଦ୍ଦେଶକ ଓମ ରାଉତ ମୋଶନ କ୍ୟାପଚର ଟେକନିକରେ ନିର୍ମାଣ କରୁଛନ୍ତି । ଫିଲ୍ମ ପାଇଁ ତିଆରି ହୋଇଥିବା ଷ୍ଟୋରୀ ବୋର୍ଡସ ଯେଉଁମାନେ ଦେଖିଛନ୍ତି, ସେମାନଙ୍କ ଅନୁଯାୟୀ, ଏହି ଫିଲ୍ମ ବହୁତ ବଡ ଆକାରରେ ନିର୍ମାଣ କରାଯାଉଛି । ଏହାର ମେକିଙ୍ଗ ବଜେଟ ପାଖାପାଖି ୪୦୦ କୋଟି ବୋଲି କୁହାଯାଉଛି ।

Share