Categories: ଖେଳ

୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଲେ ଅଦିତି

ମେଡେଲିନ୍‌, ୧୫।୬ (ପି.ଟି.): କଲମ୍ବିଆର ମେଡେଲିନଠାରେ ଅନୁଷ୍ଠିତ ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩ କ୍ୱାଲିଫିକେଶନରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଟିନ୍‌ଏଜର ଅଦିତି ସ୍ବାମୀ ୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି। ଗତ ଡିସେମ୍ବରରେ ଶାରଜାରେ ଅନୁଷ୍ଠିତ ଏସିଆ କପ୍‌ ଲେଗ୍‌-୩ରେ ରୌପ୍ୟ ପଦକ ଜିତିଥିବା ୧୬ ବର୍ଷୀୟା ଅଦିତି ଏଠାରେ ସମ୍ଭାବ୍ୟ ୭୨୦ରୁ ୭୧୧ ପଏଣ୍ଟ ସ୍କୋର କରି କମ୍ପାଉଣ୍ଡ ମହିଳାଙ୍କ ମଧ୍ୟରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଗତ ମେ’ରେ ଲିକୋ ଆରେଓଲା ୭୦୫ ପଏଣ୍ଟ ସହିତ ରେକର୍ଡର ଅଧିକାରୀ ଥିଲେ। ଅଦିତି ନିଜ ପ୍ରଥମ ବିଶ୍ୱକପ ସେସନରେ ଏହାଠାରୁ ଅଧିକ ସ୍କୋର କରି ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି।

ଆମେରିକା ପକ୍ଷରୁ ଆରେଓଲା ସିନିୟର ସ୍ତରରେ ପ୍ରଥମଥର ପାଇଁ ପ୍ରତିନିଧିତ୍ୱକରି ୯ମ ସ୍ଥାନରେ ରହିଛନ୍ତି। ”ମୁଁ ବହୁତ ଖୁସି ଏବଂ ଉଲ୍ଲସିତ। ମୁଁ ଏପରି ଶୁଟ୍‌ କରିପାରିବି ବୋଲି ଭାବି ନ ଥିଲି। ମୁଁ ବହୁତ ଖୁସି, କାରଣ ମୋତେ ଏବେ ମାତ୍ର ୧୬ ବର୍ଷ“ ବୋଲି ଅଦିତି ପ୍ରକାଶ କରିଛନ୍ତି। ସାଥି ଆର୍ଚର ତଥା ବିଶ୍ୱକପ୍‌ରେ ଏକାଧିକ ସ୍ବର୍ଣ୍ଣ ପଦକ ବିଜେତା ଜ୍ୟୋତି ସୁରେଖା ଭେନାମ ଓ ଘରୋଇ ଫେଭରାଇଟ ସାରା ଲୋପେଜଙ୍କୁ ଅଦିତି ୭୨ ଆରୋ ୫୦ ମିଟର କ୍ୱାଲିଫିକେଶନରେ ପଛରେ ପକାଇ ଦେଇଥିଲେ। ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍‌ ଅଦିତି, ଜ୍ୟୋତି (୭୦୮) ଓ ପ୍ରନୀତ କୌର (୭୦୦) କ୍ୱାଲିଫିକେଶନରେ ଶୀର୍ଷରେ ରହିଥିଲେ ହେଁ ମାତ୍ର ୧ ପଏଣ୍ଟ ପାଇଁ କୋରିଆ (୨୧୨୦) କରିଥିବା ବିଶ୍ୱରେକର୍ଡଠାରୁ ପଛରେ ପଡ଼ି ଯାଇଥିଲେ।

Share