ଭୁବନେଶ୍ୱର,୨୬।୯: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା କମ୍ପାନୀ ରହିଛି। ଗତ ୧୬ ତାରିଖରେ ଏହି କମ୍ପାନୀର ଉତ୍ପାଦନ କ୍ଷମତା ୧.୫ ନିୟୁତ ଟନ୍ରୁ ୨ ନିୟୁତ ଟନ୍କୁ ବୃଦ୍ଧି କରାଯାଇଛି। ଆଉ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରି ଓଡ଼ିଶା ବିକାଶରେ ଆଦିତ୍ୟ ବିର୍ଲା ଗ୍ରୁପ୍ ସକାରାତ୍ମକ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ଟିକିରିରେ ଅବସ୍ଥିତ ଏହି କମ୍ପାନୀ ଅଞ୍ଚଳର ଚାରିପାଖ ବୁଲି ଲୋକଙ୍କ ମତାମତ ନେବାପରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଅସତ୍ୟ କୁହାଇ ଉତ୍କଳ ଆଲୁମିନା କମ୍ପାନୀ ନିଜ ଲାଭ ବଢ଼ାଇବାକୁ ଯେଉଁ ମସୁଧା କରିଥିଲା ସେଥିରେ ସଫଳ ହୋଇଥିବା ସ୍ପଷ୍ଟ ହୋଇଛି। ବିର୍ଲା କମ୍ପାନୀର ଏହି ଷଡ଼ଯନ୍ତ୍ରକୁ ସଫଳ କରିବା ଲାଗି ରାୟଗଡ଼ା ଜିଲାର ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଉତ୍କଳ ଆଲୁମିନା କମ୍ପାନୀ ପ୍ରତିଷ୍ଠା ପାଇଁ ସର୍ବସ୍ବ ହରାଇଥିବା ସ୍ଥାନୀୟ ଲୋକଙ୍କୁ ଦୁଃଖ, ଦାରିଦ୍ର୍ୟ ଭିତରକୁ ଠେଲିଦେଇ ସେମାନଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ବିର୍ଲାର ଉତ୍ପାଦନ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ସଫଳ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ହିଁ ଏ କଥାକୁ ପ୍ରମାଣ କରୁଛି। ଏ ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ସ୍ଥାନୀୟ ସାମ୍ବାଦିକମାନେ ସାହସ ଜୁଟାଇ ବିର୍ଲା କମ୍ପାନୀ ସମ୍ପର୍କରେ କୌଣସି ତଥ୍ୟ ଦେଇପାରୁ ନାହାନ୍ତି। ସେଥିପାଇଁ ସ୍ଥାନୀୟ ଲୋକଙ୍କ ମନରେ ଗଣମାଧ୍ୟମ ପାଇଁ ଖୋଲାଖୋଲି କ୍ରୋଧ ପ୍ରକାଶ ପାଇଛି। ଏତେବଡ଼ ଏକ ପ୍ରକଳ୍ପ, ପ୍ରବଳ ମାତ୍ରାରେ ଜମି ଅଧିଗ୍ରହଣ ହେବାରେ ଲାଗିଛି, ଭୂତଳ ଜଳ ବ୍ୟବହାର କରାଯାଉଥିବା ଯୋଗୁ ପାନୀୟ ଜଳର ଅଭାବ ଭଳି ଅନେକ ବିଷୟକୁ ଜିଲା ପ୍ରଶାସନର ଉଚ୍ଚପଦସ୍ଥ ଅଫିସରମାନେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିବାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳେ। ସ୍ଥାନୀୟ ଲୋକେ ବିରକ୍ତି ପ୍ରକାଶ କରିବା ସହ କହୁଛନ୍ତି ନ୍ୟୁଜ ବାଲା ବିକ୍ରି ହୋଇଗଲେଣି।
ରାୟଗଡ଼ା ସହରଠାରୁ ଟିକିରି ୫୦ କି.ମି. ଦୂର ହେବ। ଟିକିରି ବଜାରଠାରୁ ନୂଆପଡ଼ା ଗଲେ ସେଠାରେ ହାଡିଗୁଡ଼ା ପଞ୍ଚାୟତର ଡିମିଣ୍ଡି ଗ୍ରାମ ପଡ଼ିବ। ଏହି ଗାଁରେ ପହଞ୍ଚିବା ପରେ ସୁରେଶ ନାଏକଙ୍କ ଘରକୁ ଯାଇଥିଲୁ। ସୁରେଶଙ୍କ ସହିତ ରୂପେନ ନାଏକ ବସି କଥା ହେଉଥିଲେ। ତାଙ୍କ ପାଖରେ ବସିପଡ଼ି ଭୁବନେଶ୍ୱରରୁ ଗଣମାଧ୍ୟମ ପ୍ରତିନିଧି ଆସିଛୁ, ଗାଁର କ’ଣ ସବୁ ସମସ୍ୟା ରହିଛି ବୋଲି ପଚାରିଥିଲୁ। ଏତିକିରେ ସୁରେଶ ତାଙ୍କ ଘର ଭିତରକୁ ଚାଲିଯାଇ ଏକ ନିଯୁକ୍ତିପତ୍ର ଧରି ବାହାରକୁ ଆସିଲେ। ସେ କହିଲେ, ଦେଖନ୍ତୁ ୨୦୦୯ ମସିହାରେ ଆଦିତ୍ୟ ବିର୍ଲା କମ୍ପାନୀ ଏହା ଦେଇଥିଲା।
ଆଉ ତା’ପରଠାରୁ ଏତେଦିନ ହେଲା ଚାକିରି କେବେ ଦେବ ବୋଲି କମ୍ପାନୀ ପାଖକୁ ଦଉଡୁଛି। ଜମି ନେବାବେଳେ କମ୍ପାନୀ ଦୁଇଟି କିସ୍ତିରେ ଟଙ୍କା ଦେଇଛି। ପ୍ରଥମ କିସ୍ତିରେ ୨୧ ହଜାର ଏବଂ ଦ୍ୱିତୀୟ କିସ୍ତିରେ ଲକ୍ଷେ ଟଙ୍କା ଦେଇଛି। ବର୍ତ୍ତମାନ ସେହି ଟଙ୍କାରେ କ’ଣ ଏଠି ଆଉ ଏକରେ ଜମି କିଣି ହେବ କି ବୋଲି ସେ କହିଥିଲେ। କମ୍ପାନୀକୁ ଜମି ଦେବାକୁ ଆମେ ରାଜି ନ ଥିଲୁ। ସର୍ବଦଳୀୟ ବୈଠକ ବସିଥିଲା। କମ୍ପାନୀ ହେଲେ ଏଠାରେ ସବୁକିଛି ସୁନା ହୋଇଯିବ ବୋଲି ସବୁ ଦଳର ନେତାମାନେ ଏକାଠି ହୋଇ ପ୍ରତିଶ୍ରୁତି ଦେଲେ। ଆମକୁ ପ୍ରତିଶ୍ରୁତି ଦେଲାବେଳେ ଜିଲାପାଳ, ତହସିଲଦାର ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ବସିବା ପୂର୍ବରୁ କମ୍ପାନୀ ଏଠାକୁ ପଶିପାରୁ ନ ଥିଲା। ଏହାପରେ କମ୍ପାନୀକୁ ସେ କେବଳ ୩ ଏକର ଜମି ବିକ୍ରି କରିଛନ୍ତି ବୋଲି ସୁରେଶ କହିଛନ୍ତି।
ସେଇଠୁ ବ୍ୟାକୁଳ ହୋଇ ରୂପେନ ନାଏକ କହିଲେ, ଆଜ୍ଞା କେବଳ ଏହି ଗାଁରୁ ପ୍ରାୟ ୪୦୦-୫୦୦ ଏକରରୁ ଅଧିକ ଜମି କମ୍ପାନୀ ନେଇଛି। ନେବା ବେଳକୁ ଭଲ ସ୍କୁଲ କରିବୁ, ଗାଁର ଚାରିଆଡେ ଲାଇଟ୍ ଲଗେଇବୁ, ଭଲ ପିଇବା ପାଣିର ବ୍ୟବସ୍ଥା କରିବୁ। ଏମିତି ହାତୀ ଦେବୁ, ଘୋଡ଼ା ଦେବୁ ବୋଲି କମ୍ପାନୀ କହିଥିଲା। ଓ୍ବେଲ୍ଡିଂ କାମ, ଗ୍ୟାସ୍ କଟର କାମ ମୁଁ ଜାଣିଛି। ଏଠି ଏତେବଡ଼ କମ୍ପାନୀ ହୋଇଛି, କିଛି କାମଧନ୍ଦା ମିଳୁନାହିଁ। କାମଧନ୍ଦା କଥା କହିବାକୁ ଗଲେ ନେତା, ମନ୍ତ୍ରୀଙ୍କ ପାଖକୁ ଯାଅ ବୋଲି ଓଲଟି କହୁଛନ୍ତି। କମ୍ପାନୀ ଭିତରକୁ ପ୍ରବେଶ କରିହେଉ ନାହିଁ। ଏମିତି ବହୁତ ଅସୁବିଧାରେ ରହୁଛୁ। ଗାଁ ବାଲା ମିଟିଂ କଲୁଣି। ଗାଁ ସମାଜ ଭୁବନେଶ୍ୱର ଯାଇ ସେଠାରେ ବର୍ଷକ ତଳେ ଅନଶନରେ ବସିଥିଲୁ। ତା’ପରେ ରାୟଗଡ଼ା ଜିଲାପାଳ ଡାକିଲେ ଏବଂ ସବୁ ଦିଆଯିବ ବୋଲି ମିଛ କଥା କହି ନେଇଆସିଲେ। ଗାଁରେ ପାଠପଢ଼ା ପିଲା ଅଛନ୍ତି ତାଙ୍କୁ କାମ ମିଳୁନି। ଗାଁ ଲୋକମାନଙ୍କ ପାଖରେ କିଛି କାମ ନାହିଁ। ଯେତେବେଳେ ବି କାମ ପାଇଁ ଯାଇଛୁ କେସ୍ କରିଦେବୁ, ମାଡ଼ ମାରିବୁ, ପୋଲିସକୁ କହିଦେବୁ ବୋଲି କମ୍ପାନୀର ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଏବଂ କମ୍ପାନୀ ବାଲା କହୁଛନ୍ତି। ଆମ ଗାଁର ଜମି ନେଇ ଉତ୍କଳ ଆଲୁମିନା ଫ୍ୟାକ୍ଟ୍ରି କରିଛି। ଜମି ନେଲା ବେଳେ ସବୁକିଛି ଦେବ ବୋଲି କହିଥିଲା, ହେଲେ କମ୍ପାନୀ ଏବେ କିଛି ଦେଉନି। ଗାଁକୁ ଅନ୍ୟତ୍ର ଉଠାଇ ନେବୁ ବୋଲି କହିଲା ତାକୁ ମଧ୍ୟ କରୁନାହିଁ। ଆମ ଗାଁ ସହ କମ୍ପାନୀ ବାଉଣ୍ଡାରୀ ଓ୍ବାଲ୍ ଲାଗିକି ଅଛି। ତଥାପି ଅନ୍ୟତ୍ର ସ୍ଥାନାନ୍ତର କରୁନାହାନ୍ତି। ନେତା, ମନ୍ତ୍ରୀ କେହି ଆମ କଥା ଶୁଣୁନାହାନ୍ତି ବୋଲି ରୂପେନ କ୍ଷୋଭର ସହ କହିଥିଲେ। ସୁରେଶଙ୍କ ଘରଠାରୁ ଉଠି ରାସ୍ତାରୁ ଚାହିଁଲା ବେଳକୁ ଦେଖିଲୁ ଗାଁଠାରୁ କମ୍ପାନୀ ମାତ୍ର ୧୫ ମିଟର ଦୂରରେ ରହିଛି।
ସେଇଠୁ ଚାଲିକି ଯାଇ ସେହି ଗାଁର ସରୋଜିନୀ ନାଏକଙ୍କ ଘରେ ପହଞ୍ଚିଲୁ। ସେମାନେ ତାଙ୍କ ଦାଣ୍ଡଦୁଆରେ ବସି କାକୁଡ଼ିରେ ଲୁଣ ଲଗାଇ ଖାଉଥିଲେ। ନିଜର ପରିଚୟ ରଖି ଗାଁର ସମସ୍ୟା କ’ଣ ବୋଲି ପଚାରିବା ମାତ୍ରେ ୫ରୁ ୬ଜଣ ମହିଳା ରୁଣ୍ଡହୋଇ ଉତ୍କଳ ଆଲୁମିନା ବିରୋଧରେ ଗର୍ଜିବା ଆରମ୍ଭ କରିଦେଲେ। ସେମାନଙ୍କୁ ପଚାରିଥିଲୁ କି ଆପଣଙ୍କ ଗାଁରୁ କମ୍ପାନୀ କିଛି ଜମି ନେଇଛି, ଆଉ ଯେତିକି ପଇସା ମିଳିବା କଥା ମିଳିଛି ନା ନାହିଁ। ସେଇଠୁ ସରୋଜିନୀ କହିଥିଲେ, ଆମ ନିଜ ଜମିରେ ତ ଫ୍ୟାକ୍ଟ୍ରି ହୋଇଛି। ଏକର ଏକର ଜମି ଉତ୍କଳ ଆଲୁମିନା ନେଇଛି। ଆମକୁ ଯାହା ଜମି ବଦଳରେ ଟଙ୍କା ମିଳିଥିଲା ସବୁ ଖାଇପିଇ ସରିଗଲା। ମାଟି ସିନା ଥିବ, ଟଙ୍କା ରହିବ କି। ଏବେ ଝାଡୁମରା, ପୋଛାମରା କଲେ ପିଲାମାନଙ୍କୁ ପାଠ ପଢ଼ାଇବୁ କି ପରିବାର ଚଳାଇବୁ, ଏବେ କେମିତି ଆଉ ଆମେ ବଞ୍ଚିବୁୁ? ଏନେଇ କାହାରିକୁ ଅଭିଯୋଗ କରିଥିଲେ କି ବୋଲି ପଚାରିବାରୁ ସେ କହିଛନ୍ତି, ଏ ନେଇ ବହୁ ଗଣମାଧ୍ୟମବାଲାଙ୍କୁ ବି କହିଛୁ। ୧୦-୨୦ଟା ନ୍ୟୁଜବାଲା ଆମକୁ ସବୁ ପଚାରିକି ଯାଇଛନ୍ତି।
ନ୍ୟୁଜବାଲା ଆମଠୁ ସବୁ କଥା ବୁଝି ଯାଉଛନ୍ତି ଆଉ ଉତ୍କଳ ଆଲୁମିନା ପାଖରେ ବିକ୍ରି ହୋଇଯାଉଛନ୍ତି। ନ୍ୟୁଜ ବାହାରୁନି କି କିଛି ସେମାନେ କରୁନାହାନ୍ତି। ଆମ ଗାଁ ଲୋକମାନେ ଧୂଳିମାଟି ଖାଇକି ଅଛନ୍ତି। ଆମ ଗାଁକୁ ଏଠାରୁ ସ୍ଥାନାନ୍ତର ବି କରୁନାହାନ୍ତି। ଆମେ ଜମି ଦେଲୁ ହେଲେ ବାହାରୁ ଲୋକ ଆସି କେତେ ଭଲରେ ଚଳି ପଇସା କମାଇକି ଅଛନ୍ତି। କମ୍ପାନୀ ଆମ ଜମିବାଡ଼ି ନେଲା ପୁଣି ଫ୍ୟାକ୍ଟ୍ରିର ଧୂଳିମଳି ଆସି ଘରେ ପଶି ଖାଇବା ପିଇବାରେ ପଡୁଛି। ଆମ ଗାଁକୁ ସାଇଡ୍ କରି ଉତ୍କଳ ରୋକିଦେଇଛି। ଗାଁ ସ୍ଥାନାନ୍ତର କରିବା ଲାଗି କେତେ ଲଢ଼ାଇ ଲାଗିଲାଣି ହେଲେ କିଛି ହେଉନି। ସରକାର ମଧ୍ୟ ଆମ କଥା ଶୁଣୁନାହାନ୍ତି। ଗାଁ ସ୍ଥାନାନ୍ତର କଥା କହିବାକୁ ଯାଇଥିଲୁ ଯେ, ସଙ୍ଗେସଙ୍ଗେ ପୋଲିସ୍ କୁ କହି କମ୍ପାନୀ ଲାଠିଚାର୍ଜ କରାଇଦେଲା। ଆମେ ସେ କମ୍ପାନୀର ଚୋରି କରି ନ ଥିଲୁ, ବରଂ ତା’ ପ୍ରତିଶ୍ରୁତି କେବେ ପୂରଣ କରିବ ପଚାରିବା ଲାଗି ଯାଇଥିଲୁ। ଗାଁରେ ଗେଟ୍ କରି ବନ୍ଦ କରିଦେଲା, ଶତାଧିକ ପୋଲିସ ଡାକିକି ଆଣି ମହିଳା, ପୁରୁଷ ସମସ୍ତଙ୍କୁ ମାଡ଼ ଖୁଆଇଲା। ଡିମିଣ୍ଡି ଗାଁରେ ଫ୍ୟାକ୍ଟ୍ରି ହୋଇଛି ବୋଲି ସମସ୍ତେ ଜାଣିଛନ୍ତି।