Categories: ଜାତୀୟ

ଶିନ୍ଦେଙ୍କୁ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଲେ ଆଦିତ୍ୟ…

ମୁମ୍ବାଇ,୪।୨ : ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଜଣେ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ଶିନ୍ଦେଙ୍କୁ ବିଧାନସଭା ନିର୍ବାଚନରେ ଲଢ଼େଇ ପାଇଁ ଆହ୍ବାନ ଦେଇଛନ୍ତି। ମୁଁ ମୋ ଆସନରୁ ଇସ୍ତଫା ଦେବି ଏବଂ ଶିନ୍ଦେ ମଧ୍ୟ ନିଜ ଆସନ ଇସ୍ତଫା ଦିଅନ୍ତୁ। ଏହାପରେ ମୁଁ ତାଙ୍କ ସହିତ ଓ୍ବର୍ଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି ବୋଲି ଆଦିତ୍ୟ କହିିଛନ୍ତି।
ମୁଁ ସେମାନଙ୍କୁ ଏକ ଚ୍ୟାଲେଞ୍ଜ ଦେଉଛି। ମୁଁ ଯେଉଁଆଡେ ଯାଉଛି ମୁଁ ଏହା କହୁଛି। ରାଜ୍ୟର ପରିବେଶ ଗୈରିକ ହେବାରେ ଲାଗିଛି। ଶିନ୍ଦେଙ୍କ ସହିତ ଥିବା ୧୩ ଦେଶଦ୍ରୋହୀ ଏମ୍‌ପି ଏବଂ ୪୦ ଦେଶଦ୍ରୋହୀ ବିଧାୟକ ଇସ୍ତଫା ଦେବା ଉଚିତ। ସେମାନେ କିପରି ପୁନର୍ବାର ଜିତିବେ ତାହା ଦେଖାଯିବ।
ସମସ୍ତ ପ୍ରଶାସନିକ କ୍ଷମତା ଅବା ଟଙ୍କାର ପ୍ରୟୋଗ କଲେ ମଧ୍ୟ ଜଣେ ପ୍ରକୃତ ଶିବ ସୈନିକଙ୍କୁ କିଣି ପାରିବେ ନାହିଁ ବୋଲି ଆଦିତ୍ୟ କହିଛନ୍ତି।
ମୁଁ ଅନୁଭବ କରୁଛି ଯେ ମୁମ୍ବାଇରେ ଏକଛତ୍ରବାଦୀ ଶାସନ ଚାଲିଛି। ଗୋଟିଏ ବର୍ଷ ବିତିଗଲାଣି, କିନ୍ତୁ ସେମାନେ ବିଏମସି ପାଇଁ ନିର୍ବାଚନ କରୁନାହାଁନ୍ତି। ସେମାନେ ଜଣେ ପ୍ରଶାସକ ନିଯୁକ୍ତ କରିଛନ୍ତି ଏବଂ ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଛନ୍ତି। ଆମେ ପ୍ରସ୍ତୁତ ଏବଂ ବିଏମସି ନିର୍ବାଚନରେ ଜିତିବୁ।
ବିଲଡର, କଣ୍ଟ୍ରାକ୍ଟର ଏବଂ ଦେଶଦ୍ରୋହୀଙ୍କ ପକେଟକୁ ଟଙ୍କା ଯାଉଛି। ସଡକ ପ୍ରକଳ୍ପ ପାଇଁ ସେମାନେ କେବଳ ପାଞ୍ଚଜଣ କଣ୍ଟ୍ରାକ୍ଟରଙ୍କୁ ଚୟନ କରିଛନ୍ତି। ମୁଁ ଏହି ପ୍ରଶ୍ନ ଉଠାଇବା ପରେ ଟିକସଦାତାଙ୍କ ୪୫୦ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ବୋଲି ଆଶା କରୁଛି।

ଉଦ୍ଧବଙ୍କ ସମର୍ଥକ କର୍ପୋରେଟର ଓ୍ବର୍ଲିର ସନ୍ତୋଷ କରାତ ଭାଜପାରେ ଯୋଗଦେବା ପରେ ଆଦିତ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିଏମସି ନିର୍ବାଚନ ପୂର୍ବରୁ ଶାସକ ଦଳରେ ଯୋଗଦେବା ପାଇଁ କରାତଙ୍କ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ କରାତ କହିଛନ୍ତି ଯେ ସେ ଶିନ୍ଦେଙ୍କ ଦଳରେ ଯୋଗ ଦେଇ ଉପଯୁକ୍ତ ନିଷ୍ପତ୍ତି ନେଇଛନ୍ତି।

 

Share