ଉତ୍ତର ପ୍ରଦେଶ, ଫାରୁଖବାଦର ସଲେମ୍ପୁରରେ ରହୁଥିବା ଆଦିତ୍ୟ କୁମାର ବେଶ୍ ପରିଚିତ ସାଇକେଲ୍ଓ୍ବାଲେ ଗୁରୁଜୀଭାବେ। ତାଙ୍କ ସାଇକେଲକୁ ଦେଖିଦେଲେ ଲୋକେ ଜାଣିଯାନ୍ତି ଆଦିତ୍ୟ କୁମାରଙ୍କୁ। ପାଠପଢାକୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ବଡ ବଡ ଅକ୍ଷରରେ ଲିଖିତ ପୋଷ୍ଟର ଲାଗିଥାଏ ତାଙ୍କ ସାଇକେଲ୍ରେ। ତା’ସହ ସାଇକେଲ୍ରେ ଥାଏ ଅନେକ ବହି। ଦିନକୁ ୬୪ କି.ମି. ସାଇକେଲ୍ରେ ବୁଲି ବୁଲି ସେ ଗରିବ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢ଼ାନ୍ତି। ୪୫ ମାସ ଭିତରେ ୨୯ଟି ରାଜ୍ୟ ବୁଲି ସେ ପିଲାଙ୍କୁ ପଢ଼ାଇଛନ୍ତି। ତେଣୁ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ତାଙ୍କ ନାମ ସ୍ଥାନ ପାଇଛି। ଗରିବ ଶ୍ରମିକଘରର ପିଲା ହେଉଛନ୍ତି ଆଦିତ୍ୟ। ତେଣୁ ଗରିବ ପିଲା ପାଠ ପଢି ମଣିଷ ହେବା କେତେ କଷ୍ଟ ସେ ବୁଝିଛନ୍ତି। ସେଥିପାଇଁ ସେ ବୁଲି ବୁଲି ପିଲାଙ୍କୁ ଜ୍ଞାନ ବାଣ୍ଟୁଛନ୍ତି। ଏମିତି କି ପ୍ରାୟ ୨ଲକ୍ଷ ପିଲାଙ୍କୁ ସ୍କୁଲ ପଠାଇଛନ୍ତି। ୨୦୧୫ରୁ ସେ ଭାରତ ଯାତ୍ରା କ୍ୟାମ୍ପେନ ଆରମ୍ଭ କରି ଗାଁ ଗହଳି ଉପାନ୍ତ ଅଞ୍ଚଳ ବୁଲି ବୁଲି ଶିକ୍ଷା ଜନିତ ବାର୍ତ୍ତା ବାଣ୍ଟୁଛନ୍ତି। ନିଜ ଜୀବନକୁ ଶିକ୍ଷା ପାଇଁ ସମର୍ପି ଥିବା ଏହି ଶିକ୍ଷକଙ୍କର କିନ୍ତୁ ନିଜର କିଛି ଠିକଣା ନାହିଁ। କେବେ ପ୍ଲାଟଫର୍ମରେ ତ କେବେ କେହି ଦୟା କରି ନିଜ ଘରେ ସ୍ଥାନ ଦେଲେ ସେ ରହିଯାନ୍ତି। ଏହି ତ୍ୟାଗକୁ କିନ୍ତୁ ତାଙ୍କ ପରିବାର ଲୋକ କେବେ ସମର୍ଥନ ଦେଇ ନାହାନ୍ତି। ସେମାନଙ୍କ ମତରେ ନିଜ ପେଟ ପୋଡି ଯାଉଥିବା ବେଳେ ଅନ୍ୟକୁ ସାହାଯ୍ୟ କରିବାର କୌଣସି ମାନେ ନାହିଁ। ତଥାପି ସେ ଜାରି ରଖିଛନ୍ତି ନିଜର ମୋବାଇଲ୍ କ୍ଲାସ୍ ରୁମ୍।