Categories: ଜାତୀୟ

୫ମ କକ୍ଷପଥରେ ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୧୬ା୯(ପି.ଟି.): ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମିଶନ ଆଦିତ୍ୟ-ଏଲ୍‌୧ର ଚତୁର୍ଥ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ଶୁକ୍ରବାର ଭୋର ସମୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏବେ ଏହା ପଞ୍ଚମ କକ୍ଷପଥରେ ପ୍ରବେଶ କରିଛି। ନୂଆ କକ୍ଷପଥର ପୃଥିବୀଠାରୁ ସର୍ବନିମ୍ନ ଦୂରତା ୨୫୬ କିଲୋମିଟର ହୋଇଥିବାବେଳେ ସର୍ବାଧିକ ଦୂରତା ୧,୨୧,୯୭୩ କିଲୋମିଟର ରହିବ। ଏହି ମାନୋଭର ସମୟରେ ଇସ୍ରୋର ମରିସସ୍‌, ବେଙ୍ଗାଲୁରୁ ଓ ପୋର୍ଟବ୍ଲେୟାରରେ ଥିବା ଗ୍ରାଉଣ୍ଡ ଷ୍ଟେଶନରୁ ମହାକାଶ ଯାନ ଉପରେ ନଜର ରଖାଯାଇଥିଲା। ୧୯ ତାରିଖ ରାତି ୨ଟାରେ ପରବର୍ତ୍ତୀ ମାନୋଭରରେ ଏହା ସିଧା ଏଲ୍‌୧ ପଏଣ୍ଟ ଦିଗରେ ଗତି କରିବ। ଆଦିତ୍ୟ-ଏଲ୍‌୧ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ସୂର୍ଯ୍ୟ-ପୃଥିବୀର ଲାଗ୍ରାଙ୍ଗିଆନ୍‌ ପଏଣ୍ଟ (ଏଲ୍‌୧)ରେ ଅବସ୍ଥାପିତ ହୋଇ ସୂର୍ଯ୍ୟ ସମ୍ପର୍କରେ ଅଧ୍ୟୟନ କରିବ। ମହାକାଶ ଯାନର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ମାନୋଭର ସେପ୍ଟେମ୍ବର ୩, ୫ ଏବଂ ୧୦ ତାରିଖରେ ହୋଇଥିଲା।

Share