Categories: ଜାତୀୟ

ପ୍ରଥମ ସୌରଝଡ଼ର ପ୍ରଭାବ ରେକର୍ଡ କଲା ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୮।୧୧ ଭାରତର ପ୍ରଥମ ସୌର ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ର ଉଚ୍ଚ ଶକ୍ତିସମ୍ପନ୍ନ ଏଲ୍‌୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟୋମିଟର (ଏଚ୍‌ଇଏଲ୍‌୧ଓଏସ୍‌) ପେଲୋଡ୍‌ ଅକ୍ଟୋବର ୨୯ରେ ସୌର ଝଡ଼ର ପ୍ରଭାବ ପ୍ରଥମ ଥର ପାଇଁ ରେକର୍ଡ କରିଛି। ଏହି ପେଲୋଡ୍‌ ପ୍ରାୟ ୧୦ ଘଣ୍ଟା ଧରି ସୌରଝଡ଼ର ସମ୍ମୁଖୀନ ହୋଇଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଙ୍ଗଳବାର ପ୍ରକାଶ କରିଛି। ଇସ୍ରୋର ବେଙ୍ଗାଲୁରୁରେ ଥିବା ମହାକାଶ ବିଜ୍ଞାନ ସଂଗଠନ ୟୁଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟର (ୟୁଆର୍‌ଏସ୍‌ସି) ଏହି ପେଲୋଡ୍‌ର ବିକାଶ କରିଛି। ସୋଲାର ଫ୍ଲେୟାର ବା ସୌର ଝଡ଼ ହେଉଛି ସୂର୍ଯ୍ୟ ପୃଷ୍ଠରେ ହଠାତ୍‌ ଉଜ୍ଜ୍ୱଳତା ଦେଖାଯିବା ସହ ଏହା ରେଡିଓ, ଅପ୍ଟିକାଲ, ୟୁଭି, ସଫ୍ଟ ଏକ୍ସ-ରେ’, ହାର୍ଡ ଏକ୍ସ-ରେ’ ଏବଂ ଗାମା ରେ’ ଆଦି ବିଦ୍ୟୁତଚୁମ୍ପକୀୟ ସ୍ପେକ୍ଟ୍ରମ୍‌ରେ ସବୁ ଓ୍ବେଭ୍‌ଲେଙ୍ଗଥ୍‌ର ବର୍ଦ୍ଧିତ ଏମିଶନ ସୃଷ୍ଟି କରିଥାଏ। ଗତ ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରର ଉତ୍‌କ୍ଷେପଣ ହୋଇଥିବା ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟଙ୍କଠାରେ ହେଉଥିବା ପରିବର୍ତ୍ତନ ଓ ପୃଥିବୀ ଜଳବାୟୁ ଉପରେ ଏହାର ପ୍ରଭାବ ଅନୁଧ୍ୟାନ କରିବା ଲକ୍ଷ୍ୟରେ ଏଲ୍‌୧ ପଏଣ୍ଟ ଅଭିମୁଖେ ଅଗ୍ରସର ହେଉଛି।

Share