ବେଙ୍ଗାଲୁରୁ,୨୭ା୯; ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଯାଇଥିବା ଆଦିତ୍ୟ-ଏଲ୍୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଅଭିମୁଖେ ଅଗ୍ରସର ହେଉଛି। ଏହା ଏକ ଅନନ୍ୟ ସ୍ଥାନ ଯେଉଁଠି ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି କ୍ଷୁଦ୍ର ମହାକାଶ ଯାନର ବର୍ତ୍ତୁଳାକାର ଗତିକୁ ସନ୍ତୁଳିତ କରିଥାଏ। ଫଳରେ ମହାକାଶ ଯାନଟି ସେଠାରେ ସ୍ଥିର ହୋଇ ରହେ ଓ କକ୍ଷ ସଂଶୋଧନ ପାଇଁ ସର୍ବନିମ୍ନ ଇନ୍ଧନ ବ୍ୟୟ ହୁଏ। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ସୂର୍ଯ୍ୟ-ପୃଥିବୀର ଏଲ୍୧ ପଏଣ୍ଟରେ ଆଦିତ୍ୟ-ଏଲ୍୧ ଏକ ‘ହଲୋ ଅର୍ବିଟ୍’ରେ ରହି କାର୍ଯ୍ୟ କରିବ। ଏଲ୍୧ ପଏଣ୍ଟରେ ପୂର୍ବରୁ କେତେକ ମହାକାଶ ଯାନ ରହିଥିବାରୁ ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଦିତ୍ୟ-ଏଲ୍୧ର ସୁରକ୍ଷା ପାଇଁ ମହାକାଶ ସ୍ଥିତି ଆକଳନ କରୁଛି। ପୂର୍ବରୁ ସେଠାରେ ଇଣ୍ଟରନ୍ୟାଶନାଲ ସନ୍-ଆର୍ଥ ଏକ୍ସପ୍ଲୋରର (ଆଇଏସ୍ଇଇ-୩), ଜେନେସିସ୍ ମିଶନ, ଇଏସ୍ଏର ଲିସା ପାଥ୍ଫାଇଣ୍ଡର, ଚାଇନାର ଚେଙ୍ଗ୍ ୫ ଲୁନାର ଅର୍ବିଟର ଏବଂ ନାସାର ଗ୍ରାଭିଟି ରେକୋଭରି ଆଣ୍ଡ୍ ଇଣ୍ଟେରିଅର ରିକୋଭରି (ଜିଆର୍ଏଆଇଏଲ୍) ମିଶନ କାର୍ଯ୍ୟରତ ଅଛନ୍ତି। ସେଥିପାଇଁ ଆଦିତ୍ୟ-ଏଲ୍୧ ପାଇଁ ଏକ ସୁରକ୍ଷିତ ସ୍ଥାନ ଆବଶ୍ୟକ। ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍୧କୁ ଲଞ୍ଚ୍ କରାଯାଇଥିଲା। ପୃଥିବୀ ଚାରିପଟେ ଏହା ଏକାଧିକ ଥର ପରିକ୍ରମା କରିବା ପରେ ଗତ ୧୮ରେ ଏଲ୍୧ ପଏଣ୍ଟ ଅଭିମୁଖେ ସିଧା ଯାତ୍ରା ଆରମ୍ଭ କରିଛି। ୨୦୨୪ ଜାନୁୟାରୀରେ ଏହି ମହାକାଶ ଯାନ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ଆଶା କରାଯାଉଛି।