Categories: ଜାତୀୟ

ଲାଗ୍ରାଞ୍ଜ ପଏଣ୍ଟ-୧ ଅଭିମୁଖେ ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୨୭ା୯; ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍‌୧) ଅଭିମୁଖେ ଅଗ୍ରସର ହେଉଛି। ଏହା ଏକ ଅନନ୍ୟ ସ୍ଥାନ ଯେଉଁଠି ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି କ୍ଷୁଦ୍ର ମହାକାଶ ଯାନର ବର୍ତ୍ତୁଳାକାର ଗତିକୁ ସନ୍ତୁଳିତ କରିଥାଏ। ଫଳରେ ମହାକାଶ ଯାନଟି ସେଠାରେ ସ୍ଥିର ହୋଇ ରହେ ଓ କକ୍ଷ ସଂଶୋଧନ ପାଇଁ ସର୍ବନିମ୍ନ ଇନ୍ଧନ ବ୍ୟୟ ହୁଏ। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ସୂର୍ଯ୍ୟ-ପୃଥିବୀର ଏଲ୍‌୧ ପଏଣ୍ଟରେ ଆଦିତ୍ୟ-ଏଲ୍‌୧ ଏକ ‘ହଲୋ ଅର୍ବିଟ୍‌’ରେ ରହି କାର୍ଯ୍ୟ କରିବ। ଏଲ୍‌୧ ପଏଣ୍ଟରେ ପୂର୍ବରୁ କେତେକ ମହାକାଶ ଯାନ ରହିଥିବାରୁ ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଦିତ୍ୟ-ଏଲ୍‌୧ର ସୁରକ୍ଷା ପାଇଁ ମହାକାଶ ସ୍ଥିତି ଆକଳନ କରୁଛି। ପୂର୍ବରୁ ସେଠାରେ ଇଣ୍ଟରନ୍ୟାଶନାଲ ସନ୍‌-ଆର୍ଥ ଏକ୍ସପ୍ଲୋରର (ଆଇଏସ୍‌ଇଇ-୩), ଜେନେସିସ୍‌ ମିଶନ, ଇଏସ୍‌ଏର ଲିସା ପାଥ୍‌ଫାଇଣ୍ଡର, ଚାଇନାର ଚେଙ୍ଗ୍‌ ୫ ଲୁନାର ଅର୍ବିଟର ଏବଂ ନାସାର ଗ୍ରାଭିଟି ରେକୋଭରି ଆଣ୍ଡ୍‌ ଇଣ୍ଟେରିଅର ରିକୋଭରି (ଜିଆର୍‌ଏଆଇଏଲ୍‌) ମିଶନ କାର୍ଯ୍ୟରତ ଅଛନ୍ତି। ସେଥିପାଇଁ ଆଦିତ୍ୟ-ଏଲ୍‌୧ ପାଇଁ ଏକ ସୁରକ୍ଷିତ ସ୍ଥାନ ଆବଶ୍ୟକ। ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧କୁ ଲଞ୍ଚ୍‌ କରାଯାଇଥିଲା। ପୃଥିବୀ ଚାରିପଟେ ଏହା ଏକାଧିକ ଥର ପରିକ୍ରମା କରିବା ପରେ ଗତ ୧୮ରେ ଏଲ୍‌୧ ପଏଣ୍ଟ ଅଭିମୁଖେ ସିଧା ଯାତ୍ରା ଆରମ୍ଭ କରିଛି। ୨୦୨୪ ଜାନୁୟାରୀରେ ଏହି ମହାକାଶ ଯାନ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ଆଶା କରାଯାଉଛି।

Share