ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା। ସେ ଅଷ୍ଟ୍ରେଲିଆନ ସମୟ ସକାଳ ୯ଟା ୧୫ରେ ଏହି ଆରୋହଣ ସମ୍ପୂର୍ଣ୍ଣ କରିଛନ୍ତି। ପେସାରେ ଡାକ୍ତର ଖାଡଙ୍ଗା ଓଡ଼ିଶାର ଜଣେ ପର୍ବତାରୋହୀ ଭାବରେ ବେଶ୍ ଜଣାଶୁଣା। ନ୍ୟାଶନାଲ ପାର୍କରେ ୧୦ଟି ଶୃଙ୍ଗ ରହିଛି। ଡାକ୍ତର ଆଦିତ୍ୟ ସବୁଠାରୁ ଉଚ୍ଚତମ ଶୃଙ୍ଗ କୋଜିଓସ୍କୋ ଆରୋହଣ କରିବା ସହ ରାମ୍ସ ହେଡ, ରାମ୍ସ ହେଡ ନର୍ଥ, ଆବୋର୍ଟ, ଏଥରିଚ ରିଚକୁ ମଧ୍ୟ ସଫଳତାର ସହ ଆରୋହଣ କରିଛନ୍ତି। ପ୍ରତିକୂଳ ପରିବେଶ ଯୋଗୁ ଅନ୍ୟ ୫ଟି ଶୃଙ୍ଗକୁ ନ୍ୟାଶନାଲ ପାର୍କ ତରଫରୁ ଆରୋହଣ ପାଇଁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଉକ୍ତ ଅଭିଯାନ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏସ୍ଏନ୍ଏମ୍ ଗ୍ରୁପ୍ ସହାୟତାର ହାତ ବଢ଼ାଇଥିଲା। ଏଥିପାଇଁ ଆଦିତ୍ୟଙ୍କ ପିତା ଗିରିଜେଶ ପ୍ରସାଦ ଖାଡ଼ଙ୍ଗା ଓ ମା’ ମଞ୍ଜୁଲତା ଶତପଥୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଡାକ୍ତର ଆଦିତ୍ୟ ସମ୍ପ୍ରତି ସମ୍ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ ହେବା ସହ ୱାଟର ସେଲିଙ୍ଗ ଏବଂ ସ୍କିଂ ଭଳି ଦୁଃସାହସିକ ଖେଳ ପ୍ରତି ରୁଚି ରଖନ୍ତି। ଆଗାମୀ ଦିନରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ତାଙ୍କର ଇଚ୍ଛା ରହିଥିବା ପ୍ରକାଶ କରିଛନ୍ତି।