ଆଦିତ୍ୟ ମୃତ୍ୟୁ ଘଟଣା: ବିଦ୍ୟାଶ୍ରୀ ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର, ୧୦।୮(ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଇତିମଧ୍ୟରେ ଗୋଟିଏ ମାସ ବିତିଗଲାଣି। ଜିଆର୍‌ପି ପୋଲିସ ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହେବା ପରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଛି। ହେଲେ ଆରମ୍ଭରୁ ତତ୍ପରତା ଦେଖାଇଥିବା କ୍ରାଇମବ୍ରାଞ୍ଚ ଏବେ ଅନ୍ଧାରରେ ବାଡ଼ି ବୁଲାଉଛି। ଏଯାଏ ମୃତ୍ୟୁର କିଛି ବି ସୁରାକ ମିଳିପାରି ନ ଥିବାବେଳେ ଏବେ ଆଉଏକ ଅଭିଯୋଗ ଥାନାରେ ପହଞ୍ଚତ୍ଛି। ସୋସିଆଲ ମିଡିଆରେ କରାଯାଉଥିବା ଅପପ୍ରଚାର ଓ ତାଙ୍କ ପରିବାରକୁ ଦିଆଯାଉଥିବା ମାନସିକ ନିର୍ଯାତନାକୁ ନେଇ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏପରି ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେଲେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଘଟଣାକୁ ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଶୁଭାଶିଷଙ୍କ ନାମରେ ଏକ ମାମଲା (ନଂ.୧୩୬/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବିଦ୍ୟାଶ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସ୍ବାମୀ ଆଦିତ୍ୟଙ୍କ ମୃତ୍ୟୁ ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଏହି ମାମଲାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚ କରୁଛି। କିନ୍ତୁ କୌଣସି ପ୍ରମାଣ ଓ ତଥ୍ୟ ନ ଥାଇ ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ବହୁ ମିଥ୍ୟା ତଥା କପୋଳକଳ୍ପିତ ଆକ୍ଷେପମୂଳକ ମନ୍ତବ୍ୟ ପୋଷ୍ଟ କରୁଛନ୍ତି। ନିଜେ ଲୋକଲୋଚନକୁ ଆସିବା ପାଇଁ ତଦନ୍ତ ପ୍ରକ୍ରିୟା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ପୋଲିସକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଲୋକଙ୍କ ହାତ ଥିବା ଟିପ୍ପଣୀ କରୁଛନ୍ତି। ଏଥିଯୋଗୁ ସେ ଓ ତାଙ୍କ ପରିବାର ଘୋର ମାନସିକ ଆଘାତ ପାଉଛନ୍ତି। ଏପରି କି ଉକ୍ତ ବ୍ୟକ୍ତି ଜଣକ ବିଦ୍ୟାଶ୍ରୀଙ୍କ ଚରିତ୍ରକୁ ନେଇ ନାନା ଅଶ୍ଳୀଳ ଇଙ୍ଗିତ କରି ବଦନାମ କରୁଛନ୍ତି। ଫେସବୁକ୍‌ରୁ ତାଙ୍କ ଫଟୋ ନେଇ ଭାଇ ଓ ସାଙ୍ଗଙ୍କ ସହ ଯୋଡ଼ି ପ୍ରତି ମୁହୂର୍ତ୍ତରେ ଇଜ୍ଜତ ଲୁଟୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିପାଇଁ ସେ ମାନସିକ ଭାରସାମ୍ୟ ହରାଉଛନ୍ତି। ଆତ୍ମହତ୍ୟା ଧମକ ଦେବା ସହ ଏଥିପାଇଁ ଶୁଭାଶିଷ ନାମକ ଯୁବକ ଦାୟୀ ରହିବେ। ପୋଲିସ ଯଦି କିଛି ପଦେକ୍ଷପ ନ ନେବେ କେତେବେଳେ କିଛିବି କରିଦେବେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ଡାଏରୀକୁ ଯାଞ୍ଚ କରିବା ସହ ସମସ୍ତ ସାଙ୍ଗଙ୍କୁ ପୁନଃ ପଚରାଉଚରା କରୁଛି। ସବୁଠୁ ବଡ଼ କଥା ହେଲା, ଆଦିତ୍ୟଙ୍କ ମୃତ୍ୟୁ ସମୟରେ ଯାଇଥିବା ଟ୍ରେନର ଲୋକୋ ପାଇଲଟଙ୍କ କଥାରେ ତାଳମେଳ ରହୁ ନ ଥିବାରୁ କ୍ରାଇମ୍‌ବ୍ରାଞ୍ଚ ପୁଣି ସେମାନଙ୍କୁ ପଚରାଉଚରା ପାଇଁ ନୋଟିସ କରିଥିବା ଜଣାପଡିଛି।

Share