ଆଦିତ୍ୟ ମୃତ୍ୟୁ ମାମଲା: ସେବାଶ୍ରମରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର,୨।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଶନିବାର କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ସୁନ୍ଦରପଦାସ୍ଥିତ ପିପୁଲ ଫର୍‌ ସେବାଶ୍ରମକୁ ଯାଇ ଛାନଭିନ୍‌ କରିଛି। ସେବାଶ୍ରମରେ ଥିବା ଆଦିତ୍ୟଙ୍କ ଚାମ୍ବରରେ ଅଧିକାରୀମାନେ ଆବଶ୍ୟକ ଯାଞ୍ଚ ପରେ ସେ ବ୍ୟବହାର କରିଥିବା କିଛି ସାମଗ୍ରୀ ନେଇଥିବା ଜଣାପଡିଛି। ବିଶେଷକରି ଆଶ୍ରମର ଆର୍ଥିକ କାରବାର ଉପରେ କ୍ରାଇମବ୍ରାଞ୍ଚର ଫୋକସ୍‌ ରହିଛି। ତେଣୁ ସେବାଶ୍ରମ ଫଣ୍ଡ୍‌ରେ କେତେ ଟଙ୍କା ରହିଥିଲା, କେତେ ଟଙ୍କା କେଉଁଠୁ ଆସିଛି ଓ କେତେବେଳେ ଉଠାଯାଇଛି ତାହା ଜାଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଅର୍ଥ କାରବାର ନେଇ କାଗଜପତ୍ର ଯାଞ୍ଚ କରିଛନ୍ତି ତଦନ୍ତକାରୀ ଟିମ୍‌। ଏହାସହ ଆଦିତ୍ୟଙ୍କ ସହଯୋଗୀ ବିକାଶର ଭଉଣୀଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଜବତ ଡାଏରୀରେ ଲେଖା ହୋଇଥିବା ସୁଇସାଇଡ୍‌ ନୋଟ୍‌ ଆଦିତ୍ୟ ନିଜେ ଲେଖିଥିବା ନେଇ ଷ୍ଟେଟ୍‌ ହ୍ୟାଣ୍ଡ୍‌ ରାଇଟିଂ ବ୍ୟୁରୋ ରିପୋର୍ଟ ଦେଇଥିଲେ ମଧ୍ୟ ପରିବାର ଲୋକେ ଏହାକୁ ବିଶ୍ୱାସ କରୁନାହାନ୍ତି। ଏନେଇ ଆଦିତ୍ୟଙ୍କ ବାପା କହିଛନ୍ତି, ତାଙ୍କୁ ଜବରଦସ୍ତି କେହି ଏହି ଡାଏରୀ ଲେଖିବାକୁ କହିଛନ୍ତି। ଚାପରେ ପଡ଼ି ଆଦିତ୍ୟ ତାହାକୁ ଲେଖିବା ପରେ ତାଙ୍କୁ ହତ୍ୟା କରାଯାଇ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦିଆଯାଇଛି। ଆଦିତ୍ୟ କେବେ ଆତ୍ମହତ୍ୟା କରିପାରିବେ ନାହିଁ। ଅନେକ ଭିଡିଓରେ ସେ ଆତ୍ମହତ୍ୟା ନ କରିବା ପାଇଁ ପ୍ରେରଣା ଦେଇଛନ୍ତି। ଯିଏ ଏହି ଭିଡିଓ ଦେଖିବ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ ପଳାଇ ଆସିବ। କିନ୍ତୁ ସମସ୍ତେ ଏଠାରେ ଭିନ୍ନ ଭିନ୍ନ କଥା କହୁଛନ୍ତି। ତେଣୁ ସହଯୋଗୀ ବିକାଶ, ପପୁ, ପ୍ରୀତମ୍‌ ଓ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କର ଲାଏଡିଟେକ୍ଟର ଟେଷ୍ଟ କରାଯିବା ଆବଶ୍ୟକ। ପୂର୍ବରୁ ଜିଆର୍‌ପି ଉପରେ ମୋର ଭରସା ନ ଥିଲା। ତେଣୁ କ୍ରାଇମ୍‌ବ୍ରାଞ୍ଚ ମାମଲା ହାତକୁ ନେଇ ୩ ଦିନରେ ଏକାଧିକ ବ୍ୟକ୍ତିଙ୍କୁ ଖୋଳତାଡ଼ କରୁଥିବାରୁ ଖୁବ୍‌ଶୀଘ୍ର ମାମଲାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

ଆଦିତ୍ୟଙ୍କ ବସ୍ତ୍ର ଗାଏବ୍‌, ଲୁଚିଛି ରହସ୍ୟ
ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଆଉ ଗୋଟିଏ ରହସ୍ୟ ଏବେ ସାମ୍ନାକୁ ଆସିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଆଦିତ୍ୟ ପିନ୍ଧିଥିବା ଧୋତି ଓ ନାଲି ରଙ୍ଗର ଟି ଶାର୍ଟ ତାଙ୍କ ଘରୁ କୁଆଡେ ଗାଏବ ହୋଇଯାଇଛି। ଘଟଣାଦିନ ତାହାକୁ ପିନ୍ଧି ଆଦିତ୍ୟ ଓ ବିଦ୍ୟାଶ୍ରୀ ସେଦିନ ମନ୍ଦିର ଯାଇଥିଲେ। ଆଦିତ୍ୟଙ୍କ ମୃତ୍ୟୁ ପରଠୁ ଏହି ବସ୍ତ୍ର ଆଉ ମିଳୁନି। ତେଣୁ ତଦନ୍ତ କରି ଏହି ବସ୍ତ୍ରକୁ ବାହାର କରିବାକୁ କ୍ରାଇମବ୍ରାଞ୍ଚକୁ ନିବେଦନ କରିଛନ୍ତି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଏହି ବସ୍ତ୍ରରେ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଲୁଚି ରହିଥିବା କୁହାଯାଉଛି। କ୍ରାଇମ୍‌ବ୍ରାଞ୍ଚ ଜେରାବେଳେ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ସହଯୋଗୀ ପପୁ ଓ ବିକାଶ ଉପରେ ଅନେକ ଦୋଷ ଲଦିଛନ୍ତି। ସେବାଶ୍ରମର ଆର୍ଥିକ ସ୍ଥିତି ଖରାପ ହେବା ପଛରେ ଏହି ଦୁଇ ସହଯୋଗୀ ଦାୟୀ ବୋଲି ସେ କହିଛନ୍ତି।

Share