ସିବିଆଇ ତଦନ୍ତ ଦାବି କଲେ ଆଦିତ୍ୟଙ୍କ ମା

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଏକ ମାସରୁ ଊର୍ଦ୍ଧ୍ୱ ବିତିଛି। ଏବେ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଜିଆର୍‌ପି ଭଳି ସୁରାକ ପାଇପାରୁନି। ଫଳରେ ଆଦିତ୍ୟଙ୍କ ପରିବାର ଓ ସମର୍ଥକଙ୍କ ଭରସା ତୁଟିବାକୁ ବସିଲାଣି। ଆଦିତ୍ୟଙ୍କ ମା’ ଓ ସେବାଶ୍ରମ ସଦସ୍ୟମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଅସଲ ଘଟଣା ପଦାକୁ ଆଣିପାରୁନି। ତେଣୁ ସିବିଆଇ ତଦନ୍ତ ସହ ଦୋଷୀଙ୍କୁ ଧରାଯାଇ ଉଚିତ ଶାସ୍ତି ଦିଆଯାଉ। ପୁଅ କେବେ ହେଲେ ଆତ୍ମହତ୍ୟା କରିପାରିବେ ନାହିଁ, ତାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି ବୋଲି ଆଦିତ୍ୟଙ୍କ ମା’ କହିଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପୁଣି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଥିଲା। ତିନିଜଣିଆ ଟିମ୍‌ ତାଙ୍କ ଘରକୁ ଯାଇ ବିଦ୍ୟାଶ୍ରୀଙ୍କୁ ୩ଘଣ୍ଟା ଧରି ଜେରା କରିଥିଲା। ଏହି ସମୟରେ ବିଦ୍ୟାଶ୍ରୀ କାନ୍ଦି ପକାଇଥିଲେ। ତେବେ ବିଦ୍ୟାଶ୍ରୀ କହିଛନ୍ତି ତଦନ୍ତ ଉପରେ ତାଙ୍କର ଭରସା ରହିଛି।

Share