ଅମ୍ବୁଡସ ପର୍ସନଙ୍କ ପ୍ରୋସିଡିଂ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

କେନ୍ଦୁଝର/ହାଟଡିହୀ,୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ): ହାଟଡିହୀ ବ୍ଲକ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦୁଝର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅମ୍ବୁଡ଼ସ ପର୍ସନଙ୍କ ପ୍ରୋସିଡିଂ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ୬.୯.୨୦୨୪ରେ ମଧ୍ୟବର୍ତ୍ତୀ କାଳୀନ ସ୍ଥଗିତାଦେଶ ଜାରି କରିଛନ୍ତି। ଡବ୍ଲ୍ୟୁପି(ସି) ନଂ ୨୦୯୯୫/୨୦୨୪ ଅଟେ। ପକ୍ଷଭୁକ୍ତ ହିମାଂଶୁ ଶେଖର ନାୟକ, କେନ୍ଦୁଝର ଜିଲାପାଳ, କେନ୍ଦୁଝର ଜିଲା ପରିଷଦ ସିଡିଓ, ଆନନ୍ଦପୁର ଉପଜିଲାପାଳ, ହାଟଡିହୀ ବିଡିଓ,କେନ୍ଦୁଝର ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଅମ୍ବୁଡ଼ସ ପର୍ସନଙ୍କୁ ନୋଟିସ୍‌ ଜାରି କରିଛନ୍ତି l
ସୂଚନାଯୋଗ୍ୟ, ହାଟଡିହୀ ବ୍ଲକରେ ମନରେଗା ଯୋଜନାରେ ଆର୍ଥିକ ଅନିୟମିତତା ମାମଲା ନେଇ ପ୍ରଥମେ ଓଡ଼ିଶା ଲୋକାୟୁକ୍ତଙ୍କଠାରେ ହିମାଂଶୁ ଶେଖର ନାୟକ ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ। ଲୋକାୟୁକ୍ତଙ୍କ ନୋଟିସ୍‌ ଅନୁସାରେ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିମାନେ ଲିଖିତ ଜବାବ ରଖିଥିଲେ। ମାମଲା ଶୁଣାଣି ଚାଲିଥିବା ବେଳେ ଲୋକାୟୁକ୍ତ କେନ୍ଦୁଝର ଜିଲାପାଳଙ୍କୁ ମଗାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟକୁ ଚ୍ୟାଲେଞ୍ଜ କରି ବ୍ଲକ କର୍ମଚାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଯାହାକି ଏବେ ବିଚାରାଧୀନ ଅଛି। କିନ୍ତୁ ପରବର୍ତ୍ତୀ ସମୟରେ ସେହି ସମାନ ଘଟଣାକୁ ନେଇ ହିମାଂଶୁ ଶେଖର ପୁଣି ସରକାରୀ ଦପ୍ତରରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଅଭିଯୋଗ ଅନୁସାରେ, କେନ୍ଦୁଝର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅମ୍ବୁଡ଼ସ ପର୍ସନ ହାଟଡିହୀ ବ୍ଲକ କାର୍ଯ୍ୟାଳୟକୁ ନୋଟିସ୍‌(ନଂ.୧୫/୨୦.୪.୨୦୨୪)ଜାରି କରି ତଦନ୍ତ କରିଥିଲେ। ଏହାକୁ ବିରୋଧ କରି ଯନ୍ତ୍ରୀ ସୁପ୍ରଭା ପ୍ରଧାନ ଏବଂ ଜ୍ୟୋତି ରଞ୍ଜନ ସାମନ୍ତରାୟ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଏସ୍‌.କେ. ମିଶ୍ର ମାମଲାର ଶୁଣାଣି କରି ଅମ୍ବୁଡ଼ସ ପର୍ସନଙ୍କ ପ୍ରୋସିଡିଂ ଉପରେ ସ୍ଥଗିତାଦେଶ ଜାରି କରିବା ସହ ପକ୍ଷଭୁକ୍ତଙ୍କୁ ନୋଟିସ୍‌ କରିବାକୁ ଆଦେଶ କରିଛନ୍ତି।