ଏଡିଏମ୍‌ ବିଶ୍ୱଜିତ୍‌ଙ୍କ କୁବେର ସମ୍ପତ୍ତି : ସରକାରୀ ବାସଭବନରେ ଚଢ଼ାଉ

ସୁନ୍ଦରଗଡ଼,୧୨।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ୍‌ ମହାପାତ୍ର ଶୁକ୍ରବାରଠାରୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଶନିବାର ତାଙ୍କୁ ସୁନ୍ଦରଗଡ଼ଠାରେ ଜେରା କରାଯିବ। ବର୍ତ୍ତମାନ ତାଙ୍କ ସୁନ୍ଦରଗଡ଼ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ଚାଲିଥିବା ବେଳେ ନଗଦ ୩୨ ହଜାର ଟଙ୍କା, ୧୨୦ ଗ୍ରାମ୍‌ ସୁନାଗହଣା, ବିଭିନ୍ନ ବ୍ୟାଙ୍କର ପାସ୍‌ ବୁକ୍‌ ଜବତ କରାଯାଇଛି। ଆଉ ୧୬ ଦିନ ପରେ ସେ ଚାକିରିରୁ ଅବସର ନେଇଥାଆନ୍ତେ। ମାତ୍ର ତା’ ପୂର୍ବରୁ ତାଙ୍କ କୁବେର ସମ୍ପତ୍ତି ଠାବ କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ଼ ସମେତ ଅନ୍ୟାନ୍ୟ ସ୍ଥାନରେ ତାଙ୍କର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରର ନହରକଣ୍ଟା ଓ ଖୋର୍ଦ୍ଧା, ଜଟଣୀ, ଜଗତ୍‌ସିଂହପୁରରେ ମୋଟ ୧୦ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂ ଆକାଉଣ୍ଟ, ଇନ୍‌ସ୍ୟୁରାନ୍ସ ଦସ୍ତାବିଜ ଓ ୩୫୦ ଗ୍ରାମର ସୁନା ଗହଣା ମିଳିଛି। ଏହାସହ ବିଶ୍ୱଜିତ୍‌ଙ୍କ ସ୍ତ୍ରୀଙ୍କ ନାଁରେ ନହରକଣ୍ଟାରେ ସିମେଣ୍ଟ ବିଜିନେସ୍‌ ରହିଛି। ଶୁକ୍ରବାର ଭିଜିଲାନ୍ସ ବିଶ୍ୱଜିତଙ୍କ ସୁନ୍ଦରଗଡ଼ ଅଫିସ ଓ ଘର ସମେତ ଭୁବନେଶ୍ୱରସ୍ଥିତ ବାଲିଅନ୍ତା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ, ଜଗତ୍‌ସିଂହପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ଜଣେ ସମ୍ପର୍କୀୟଙ୍କ ଘର ଓ ରାଜଗାଙ୍ଗପୁରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରିଥିଲା। ଭିଜିଲାନ୍ସ ବିଭାଗର ୮ ଜଣ ଡିଏସ୍‌ପି, ୨ ଜଣ ଇନ୍ସପେକ୍ଟର ଓ ୫ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ। ଦୀର୍ଘଦିନ ହେଲା ବିଶ୍ୱଜିତ ମହାପାତ୍ର ଭିଜିଲାନ୍ସ ସ୍କାନରରେ ଥିଲେ। ତାଙ୍କ ନାଁରେ ଅନେକ ଅଭିଯୋଗ ହୋଇଥିଲା।

Share