କେନ୍ଦ୍ରାପଡ଼ା ଅଫିସ, ୩ା୧୨: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ ହାଇକୋର୍ଟ ହସ୍ତକ୍ଷେପ ପରେ ପ୍ରଥମଥର ପାଇଁ ରାଜ୍ୟ ପ୍ରଶାସନ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଗୁରୁବାର ଆଲୋଚନା ହୋଇଛି। ଅଭିଯୋଗକାରୀ ରାଜକନିକା ବ୍ଲକ ବଡରାଜାର ସୁକାନ୍ତ କୁମାର ଦାସ ସ୍ଥାନୀୟ ଅଞ୍ଚଳର ଜୀବନ, ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷାକୁ ପ୍ରସଙ୍ଗ କରିଥିଲେ। ଅପରପକ୍ଷରେ ରାଜ୍ୟ ପ୍ରଶାସନ ସାଧାରଣ ଜନତାଙ୍କ ପାଇଁ ପବନ, ପଇବା ପାଣିି ପରେ ପରିବେଶ କଥା ଚିନ୍ତା କରାଯାଇ ପାରେ ବୋଲି ଯୁକ୍ତି ବାଢ଼ିଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହୋଇଥିବା ଏହି ଆଲୋଚନାର ଫଳାଫଳ ଆସନ୍ତା ୨୦ ତାରିଖ ସୁଦ୍ଧା ଜଣାପଡିବ।
କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍ଏସିକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ନିର୍ମାଣ କରୁଛନ୍ତି। ତେବେ ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷ, ପିଇବା ପାଣି, ମତ୍ସ୍ୟଜୀବୀଙ୍କ କ୍ଷତି ହେବା ସହ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବ। ଏଥିସହ ପ୍ରକଳ୍ପର ଦୁଇ ସ୍ଥାନ ବରୁଣାଡିହା ଓ ନୂଆହାଟ ଭିତରକନିକା ଇକୋ ସେନ୍ସିଟିଭ ଜୋନ ଅଧୀନରେ ଅଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏ ନେଇ ସହମତି ହେବା କଥା। ଏ ନେଇ ଜନସଭା ହୋଇ ନ ଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ଜଣେ ବ୍ୟକ୍ତିଙ୍କ ଜମି ଉପରେ ରହିଥିବା ନେଇ ସୁକାନ୍ତ ହାଇକୋର୍ଟରେ ଏକ ପିଆଇଏଲ (ନଂ.୨୬୫୧୪/୨୧) କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚରପତି ଓ ଜଷ୍ଟିସ ବି.ପି. ରାୟ ଗତ ସେପ୍ଟେମ୍ବର ୧୭ରେ ଏହାର ଶୁଣାଣି କରିଥିଲେ। ଏଥିରେ ଅଭିଯୋଗକାରୀଙ୍କ ଆପତ୍ତି ସମ୍ପର୍କରେ ଆଲୋଚନା ପାଇଁ ପ୍ରତିପକ୍ଷ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶ ମୁତାବକ ଭୁବନେଶ୍ୱରସ୍ଥ ବିଭାଗୀୟ ଦପ୍ତରରେ ପ୍ରମୁଖ ସଚିବ ଅଶୋକ ମୀନା, ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶକ ତଥା ସହକାରୀ ସଚିବ ପରମେଶ୍ୱରନ ବି. ଓ ପିସିସିଏଫ୍ର ବରିଷ୍ଠ ଅଧିକାରୀ ରାଜ୍ୟ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ଉପସ୍ଥିତ ଥିବାବେଳେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାପାଳଙ୍କ ସହ ଠିକା ସଂସ୍ଥାର କୌଣସି ଅଧିକାରୀ ନ ଥିଲେ। ସୁକାନ୍ତ ଓ ଆଇନଜୀବୀ ବୃନ୍ଦାବନ ରାଉତ ଏହି ପ୍ରକଳ୍ପରେ ଥିବା ବହୁ ଅନିୟମିତତାକୁ ଆଗକୁ ଆଣିଥିଲେ। ସେମାନେ ଦର୍ଶାଇଥିଲେ, ପ୍ରକଳ୍ପ ପାଇଁ ପରିବେଶ ଓ ସାମାଜିକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତକର୍ତ୍ତା ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଡ. ଶଶୀଧର ଅନୁଧ୍ୟାନ ପାଇଁ ନିଜେ କିମ୍ବା ଅନ୍ୟ କାହାଦ୍ୱାରା ତଦନ୍ତ କରାଇ ନ ଥିବା ରାଜକନିକାର ରାକେଶ ମହାନ୍ତି ଓ ସୂଚନା ଅଧିକାର କର୍ମୀ ମାର୍ଶାଘାଇ ବ୍ଲକ ତାଳସଙ୍ଗାର ପ୍ରତାପ କୁମାର ମହାନ୍ତିଙ୍କୁ ଜଣାଇଛନ୍ତି। ଏଥିସହ ଅଣମୌସୁମୀ ସମୟରେ ଖରସ୍ରୋତାର ପାଣି ସ୍ରୋତ ପ୍ରାୟ ୮୫ ପ୍ରତିଶତ କମି ଯାଉଛି। ଏଠାରୁ ପାଣି ଉଠାଗଲେ ଏହାର ପ୍ରଭାବ ତଳମୁଣ୍ଡରେ ପଡିବ, ପର୍ଯ୍ୟାପ୍ତ ପରିମାଣରେ ପାଣି ନ ଯିବା ସମ୍ଭାବନା ଥିବାରୁ ଭିତରକନିକା ଜୈବ ବିବିଧତା ନଷ୍ଟ ହେବ ବୋଲି ଦର୍ଶାଇ ଥିଲେ। ସେହିପରି ଖରସ୍ରୋତା ନଦୀରୁ ଉଠାଯିବାକୁ ଥିବା ପାଣି ପରିମାଣ, ଓଡ଼ିଶାର ଏକମାତ୍ର ଜଳସଙ୍କଟରେ ଥିବା କେନ୍ଦ୍ରାପଡ଼ା ଜିଲାରୁ ପାଣି ଉଠାଇବା, ବ୍ୟକ୍ତିଗତ ଜମିରେ ରାଜ୍ୟ ସରକାରଙ୍କ ପ୍ରକଳ୍ପ, ସ୍ଥାନୀୟ ଅଞ୍ଚଳରେ ପ୍ରକଳ୍ପ ପୂର୍ବରୁ ଜନସଭା ନ ହେବା, ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଥିବା ବିଭିନ୍ନ ଗାଇଡ ଲାଇନ ଓ ଆଇନ ଆଦିକୁ ଉଲ୍ଲଂଘନ କରିବା ଆଦିକୁ ପ୍ରସଙ୍ଗ କରିଥିଲେ। ସୂଚନାଯୋଗ୍ୟ, ଖରସ୍ରୋତା ପାଣି ବିବାଦକୁ ନେଇ ଦୁଇବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଛି।