ହିଲ୍‌ ଷ୍ଟେଶନରେ ବଢ଼ିଲା କରୋନା ଭୟ: କେମ୍ପଟି ଫଲ୍‌ରେ ଲାଗୁ ହେଲା କଡ଼ା ନିୟମ

ମସୁରୀ,୯।୭: କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣ ଆସିବା ମାତ୍ରେ ହିଁ କିଛି ଲୋକ ଛୁଟି କାଟିବାକୁ ହିଲ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ସେଠାରେ ଲଗାତର ଲୋକଙ୍କ ଭିଡ଼ ଓ କରୋନା ଭୟକୁ ଦୃଷ୍ଟିରେ ରଖି ସରକାର ଏବେ କଡ଼ା ନିୟମ ଲାଗୁ କରିଛନ୍ତି। କରୋନା ଲକ୍‌ଡାଉନରେ ଘରେ ରହି ଲୋକମାନେ ବିରକ୍ତି ହୋଇଯାଇଥିବା ବେଳେ ଏବେ ସମୟକୁ ଉପଭୋଗ କରିବା ପାଇଁ ଘରୁ ବାହାରକୁ ବାହାରିଛନ୍ତି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ କରୋନା ଭୟ ଶେଷ ହୋଇଯାଇଛି ବୋଲି ଲୋକମାନେ ଭାବୁଛନ୍ତି। ଏଥିପାଇଁ ନିଜ ପରିବାର ସହ ଅନେକ ଲୋଗ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ସମୟ ବିତାଇବାକୁ ପହଞ୍ଚିଛନ୍ତି। ନିକଟରେ ଉତ୍ତରାଖଣ୍ଡର ମସୁରୀ ସ୍ଥିତ କେମ୍ପଟି ଫଲ୍‌ର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ କରୋନା ସଂକ୍ରମଣକୁ ଭ୍ରୁକ୍ଷେପ କରି ଝରଣା ତଳେ ଶତାଧିକ ଲୋକ ଏକାସାଙ୍ଗରେ ଗାଧୋଉଥିବାର ଦୃଶ୍ୟ ନଜର ଆସିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଏଣିକି କେମ୍ପଟି ଫଲ୍‌ ଭିତରକୁ ଥରକେ ୫୦ଜଣଙ୍କୁ ଯିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ଏମାନଙ୍କୁ କେବଳ ଅଧଘଣ୍ଟା ସମୟ ଦିଆଯିବ। କେମ୍ପଟି ଫଲ୍‌ରେ ଗାଧୋଇବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାତ୍ର ଅଧଘଣ୍ଟା ସମୟ ଦିଆଯିବ ଏବଂ ସମୟ ସରିବା ମାତ୍ରେ ହିଁ ହର୍ନ ବାଜିବା ଆରମ୍ଭ ହୋଇଯିବ। ଏଥିସହ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଏଠାରେ ଏକ ଚେକ୍‌ ପୋଷ୍ଟ ତିଆରି କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

Share