ଶୁଣିଲାନି ପ୍ରଶାସନ: ଅସ୍ଥାୟୀ କେନାଲ ଖୋଳିଲେ ଗ୍ରାମବାସୀ

ଟିକିରି,୨୧ା୨(ଡି.ଏନ୍‌.ଏ.):ପ୍ରଶାସନଠାରୁ ଜନପ୍ରତିନିଧି ପର୍ଯ୍ୟନ୍ତ ବାରମ୍ବାର ଗୁହାରି ସତ୍ତ୍ୱେ କେହି କର୍ଣ୍ଣପାତ କଲେନି। ଶେଷରେ ଗ୍ରାମବାସୀ ଶ୍ରମଦାନ କରି ଅସ୍ଥାୟୀ କେନାଲ ଖୋଳିଛନ୍ତି। ଏହାଦ୍ୱାରା ପ୍ରାୟ ୫୦୦ ଏକର ଜମିରେ ଚାଷ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି।
ରାୟଗଡା ଜିଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ କୁଟୁରୁଝିରି ଗ୍ରାମର ଅଧିକାଂଶ ଜମିକୁ ଜଳସେଚନ ସୁବିଧା ନାହିଁ। ଶହ ଶହ ଏକର ଜମି ଶୁଖିଲା ପଡିଥିବାରୁ ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ରହିଛି। ପ୍ରାୟ ଦେଢ଼ କିମି ଦୂରରେ ଥିତ୍ବା ଡ୍ୟାମରୁ ପାଣି ଆଣିବା ପାଇଁ ସ୍ଥାୟୀ କେନାଲ ଖୋଳିବାକୁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଠାରୁ ଆରମ୍ଭ କରି ଜନପ୍ରତିନିଧିମାନଙ୍କୁ ବାରମ୍ବାର ଗୁହାରି କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ ନିଜେ ଶ୍ରମଦାନ କରି କେନାଲ ଖୋଳବାକୁ ନିଷ୍ପତ୍ତି ନେଇଥିଲେ। ଏପରକି ଅଧିକାଂଶ ସ୍ଥାନରେ ପଥର ପଡିବାରୁ ନିଜ ଖର୍ଚ୍ଚରେ ଜେସିବି ମେଶିିନ କାର୍ଯ୍ୟରେ ଲଗାଇଥିଲେ। ପ୍ରାୟ ୨୦ ଦିନ ଭିତରେ ଏହି ଅସ୍ଥାୟୀ କେନାଲ ଖୋଳାସରିଛି। ଏହାଦ୍ୱାରା କୁଟୁରୁଝିରି ସହିତ ଆଖ ପାଖ ଅଞ୍ଚଳର ଜମିରେ ମଧ୍ୟ ପାଣି ମାଡ଼ିବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର କରିଛି ବୋଲି କୁଟୁରୁଝିରିର ବେଣୁଧର ମାଝୀ,ପୁରୁଣା ମାଝୀ, କୁଞ୍ଜେଇ ମାଝୀ, କୈଳାସ ମାଝି, ଲକ୍ଷ୍ମଣ ମାଝି ପ୍ରମୁଖ କହିଛନ୍ତି।

Share