ହନୁମାନ ଜୟନ୍ତୀରେ ବିଶୃଙ୍ଖଳା ହେଲେ ପ୍ରଶାସନ ଦାୟୀ

ସମ୍ବଲପୁର,୧୨ା୪(ବ୍ୟୁରୋ): ଚଳିତବର୍ଷ ମଧ୍ୟ ହନୁମାନ ଜୟନ୍ତୀ ଧୁମ୍‌ଧାମରେ ପାଳନ ହେବ। ଶୋଭାଯାତ୍ରା, ଆଳତି ସହ ପୂଜାର୍ଚ୍ଚନା କରାଯିବ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆଖଡା କରାଯିବ। ନାଗାବାବା ଓ ପାରମ୍ପରିକ ନୃତ୍ୟ ଦଳ ସାମିଲ ହେବେ। ହେଲେ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରାରେ କଟକଣା ଲଗାଯାଇଛି। ଏହା ହିନ୍ଦୁଧର୍ମ ବିରୋଧୀ। ଯଦି ହନୁମାନ ଜୟନ୍ତୀରେ କୌଣସି ଅଘଟଣ କିମ୍ବା ସାମାଜିକ ବିଶୃଙ୍ଖଳା ଘଟେ ତା’ହେଲେ ପ୍ରଶାସନ ଦାୟୀ ରହିବ ବୋଲି ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ଆବାହକ ପ୍ରଦୀପ ବହିଦାର କହିଥିଲେ।
ସେ ଆହୁରି କହିଥିଲେ, ବିଗତ ବର୍ଷରେ ଜୟନ୍ତୀ ପାଳନ ବେଳେ କୌଣସି ଅଘଟଣ ହୋଇନାହିଁ। ସମିତି ଶାନ୍ତିଶୃଙ୍ଖଳା ରକ୍ଷାକରି ଓ ପ୍ରଶାସନକୁ ସହଯୋଗ କରି ଜୟନ୍ତୀ ପାଳନ କରିଆସୁଛି। କୋଭିଡ୍‌ ପରେ ପ୍ରଥମ କରି ଏହି ଉତ୍ସବ ପାଳନ କରାଯାଉଛି। ହେଲେ ପ୍ରଶାସନ ଏଥିରେ ରୋକ ଲଗାଉଛି। ଶୋଭାଯାତ୍ରାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରିବାର ନିୟମ ରହିଥିବାରୁ ତାହା ପାଳନ କରାଯିବ। ରାସ୍ତାରେ ଶୋଭାଯାତ୍ରା ଯିବା ଓ ଆଖଡା ପ୍ରଦର୍ଶନ କରିବା ଆଇନ ସଙ୍ଗତ। ହେଲେ ପ୍ରଶାସନ ଜାଣିଶୁଣି ରୋକ ଲଗାଇ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି। ଚଳିତବର୍ଷ ଛତିଶଗଡର ଝଞ୍ଜ ବାଦ୍ୟ, ଛତିଶଗଡ ମହିଳା ଆଦିବାସୀ ନୃତ୍ୟ, ରାୟଗଡର ସମ୍ପ୍ରଦା ଓ ମୟୁରଝାଳ, ରେମେତାର ବାଡିନାଚ, ଅନୁଗୋଳର ବୀରବାଦ୍ୟ, ଦୁଲଦୁଲ ବାଜା ରହିବ। ଜୋନସ୍ତରୀୟ କମିଟି ନିଜ ଅଞ୍ଚଳରୁ ଶୋଭାଯାତ୍ରା କରି ଜିଲା ସ୍କୁଲ ଛକରେ ମୁଖ୍ୟ ଶୋଭାଯାତ୍ରା ସହ ସାମିଲ ହେବେ। ମହିଳାମାନେ ସାମୂହିକ ଆଳତି କରିବେ। ହନୁମାନ ଜୟନ୍ତୀ ପାଇଁ ଚାନ୍ଦା ଓ ଦାନ ସଂଗ୍ରହ କରାଯାଇଛି। ଆଗାମୀ ୧୦ ଦିନ ଭିତରେ ହିସାବ ସର୍ବସାଧାରଣ କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲା ସଭାପତି ତଥା ସମିତି ସଭାପତି ଗିରିଷ ପଟେଲ, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବହିଦାର, ଉପଦେଷ୍ଟା ସତ୍ୟନାରାୟଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ଶିବ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Share