Advertisement

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା କାମ କରୁଛନ୍ତି ୧୦ ପରିବାର

ଦଶମନ୍ତପୁର,୩୦ା୩(ଡି.ଏନ୍‌.ଏ.):ଗାଁ ରାସ୍ତା ମରାମତି ଲାଗି ପ୍ରଶାସନ ନିକଟରେ ବହୁ ଅଭିଯୋଗ ପରେ ବି ସୁଫଳ ନ ମିଳିବାରୁ ୧୦ଟି ପରିବାର ଶ୍ରମଦାନ କରି ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି। ଏଭଳି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲ୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡ଼ା ଗ୍ରାମରେ।
କେମିଲିବେଡା ପଦର ସ୍ଥିତ ଠୁଟାଆମ୍ବ ଛକଠାରୁ ପ୍ରାୟ ୬ କି.ମି. ଅତିକ୍ରମ କଲେ ବହୁ କଷ୍ଟରେ ଏହି ଗାଁକୁ ପହଞ୍ଚିବାକୁ ହୁଏ। ଗାଁରେ କେବଳ ୧୦ଘର ଗୌଡ ସଂପ୍ରଦାୟର ଲୋକେ ବସବାସ କରିଥାନ୍ତି। ଉକ୍ତ ପରିବାର ଗୁଡିକର ଜୀବିକା କହିଲେ ଅଳ୍ପ କିଛି ଜମିରେ ଚାଷବାସ କରି ଚଳନ୍ତି। ଏହି ଗାଁ ଦେଇ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା କୋଡକି ପଦର, ହରଡାପୁଟ, ଚିନ୍ଦର ଯୋଡ, ଡଳିମାଳ ଏବଂ ନନ୍ଦିଗା ପଞ୍ଚାୟତର ପ୍ରାୟତଃ ଗ୍ରାମବାସୀ ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। ତେବେ ଏହି ଗାଁଠାରୁ କେମିଲିବେଡ଼ା ପଦର ଛକ ମାତ୍ର ୩ କି.ମି. ଦୂର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। କେମିଲିବେଡ଼ା ପଦର ଛକଠାରୁ ତେନ୍ତୁଳିଗୁଡ଼ା ଗାଁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲା ପ୍ରଶାସନକୁ ମଧ୍ୟ ଲିଖିତ ଓ ମୌଖିକ ଜଣାଇ ଆସୁଥିଲେ। ହେଲେ ଏ ଯାଏ କୌଣସି ସୁଫଳ ମିଳଲାନି। ଏପରିକି ଗାଁକୁ ବିଡିଓ ଡମ୍ବରୁଧର ମଲ୍ଲିକ ଆସିଥିବା ବେଳେ ତାଙ୍କୁ ମଧ୍ୟ ସମସ୍ୟା ଜଣାଇଥିଲେ ବି ରାସ୍ତା ହୋଇପାରିଲାନି ବୋଲି ଗ୍ରାମର ଖଗପତି ଗୌଡ, ସଦନ ଗୌଡ, ଚନ୍ଦ୍ରା ଗୌଡ, ଉର୍ମିଳା ଗୌଡ, ବୃନ୍ଦାବତି ଗୌଡ, ଘନ ଗୌଡ, ତ୍ରିନାଥ ଗୌଡ଼, ମିନ ଗୌଡ଼ ଓ ଯୁଧିଷ୍ଟିର ଗୌଡ ପ୍ରମୁଖ ପ୍ରକାଶ କରିଛନ୍ତି। ତେଣୁ ଆଉ ପ୍ରଶାସନ ଉପରେ ନିର୍ଭର ନ କରି ରାସ୍ତା କିଭଳି ହେବ ସେ ନେଇ ଗ୍ରାମବାସୀ ଗାଁରେ ଏକ ବୈଠକ କରିଥିଲେ। ପ୍ରତ୍ୟେକ ଦିନ ପ୍ରତି ଘରୁ ଜଣେ ଲେଖାଏ ଏପରି ମୋଟ ୧୦ ଜଣ ରାସ୍ତା ମରାମତି ପାଇଁ ଶ୍ରମଦାନ କରିବାକୁ ନିଷ୍ପତ୍ତି ନେଇ କାମ ଆରମ୍ଭ କରିଛନ୍ତି। ୧୦ ପରିବାର କୋଡ଼କି, ଶାବଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଶ୍ରମଦାନ କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ଆଗକୁ ଖାଲଆମ୍ବ ନାଳ, ବୋନାଆମ୍ବ ନାଳ, ପଦା ନାଳ ଏବଂ ରଙ୍ଗମାଟି ନାଳରେ ନୂଆ କଲଭର୍ଟ ସହ ପକ୍କା ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନ ନେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share