ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

ଦାରିଙ୍ଗବାଡି, ୨୧।୧୦ (ଅରୁଣ ସାହୁ)-ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତତି ବୈଠକ ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ତହସିଲଦାର ଶରତ ଶବର ପରିଚାଳନା କରି କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଦାନା’ ଓଡିଶାର ବିଭିନ୍ନ ଜିଲାରେ ପ୍ରଭାବିତ କରିବ। ଏହା ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ଏଥିରେ କନ୍ଧମାଳ ଜିଲାରେ ମଧ୍ୟ ପ୍ରଭାବିତ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ପୂର୍ବ ପ୍ରସ୍ତୁତି କରାଯିବା ସହ ପ୍ରଭାବିତ ଆଶଙ୍କା ରହିଥିବା ଅଞ୍ଚଳକୁ ପ୍ରଶାସନ ଆଶ୍ରୟସ୍ଥଳର ବ୍ୟବସ୍ଥା ସହ ଶୁଖିଲା ଖାଦ୍ୟ, ଆବଶ୍ୟକ ଔଷଧ, ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରଖାଯିବ।

ସେହିପରି ଦାରିଙ୍ଗବାଡିର ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ପୂର୍ବରୁ ଦୁଇ ଦୁଇଟି ବାତ୍ୟାରେ ଭୂସ୍ଖଳନ ହୋଇଥିବା ନଜିର ରହିଥିବା ବେଳେ ଦାରିଙ୍ଗବାଡି-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇ ଦୀର୍ଘ ଦିନ ରାସ୍ତାରେ ଯାତାୟାତ ଠପ ହୋଇଥିବା ଦେଖାଯାଇଥିଲା। ତେଣୁ ଏହି ‘ଦାନା’ ବାତ୍ୟା ମଧ୍ୟ ପ୍ରଭାବିତ କରିବା ଆଶଙ୍କାରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବିଡ଼ିଓ ପାତ୍ର କହିଛନ୍ତି।

ଏହି ବୈଠକରେ ବିଡ଼ିଓ ପାତ୍ରଙ୍କ ସମେତ ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାାରାଣୀ ପଣ୍ଡା, ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ବ୍ଲକ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା,ଏବିଇଓ ବନମାଳୀ ମାଝୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରି ମାନେ ଯୋଗଦାନ କରିଥିଲେ। ଏଥିରେ ୨୫ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟକ୍ରମ ଅଧିକାରୀ ମାନେ ନୋଡାଲ ଅଫିସର ଭାବେ ଦାୟିତ୍ୱ ତୁଲାଇବେ। ବିଭିନ୍ନ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ଗୁଡିକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବେ। ପାହାଡ଼ ଉପରେ କିମ୍ବା ପାହାଡ଼ ତଳେ ରହୁଥିବା ପରିବାର ଓ କଚ୍ଚା ଘରେ ରହୁଥିବା ପରିବାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପାଇଁ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ସେହିପରି ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ। ସେହିପରି ୨୪ ଘଣ୍ଟିଆ ଜରୁରୀକାଳୀନ କାର୍ଯ୍ୟାଳୟ ଖୋଲା ରହିବ।

ସେହିପରି ଗର୍ଭବତୀ ମହିଳା ଯେଉଁମାନଙ୍କ ପ୍ରସୂତିର ସମୟ ପାଖେଇଥିବ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ ଦିଲୀପ କୁମାର ବେହେରା କହିଛନ୍ତି। ସେହିପରି କୃଷକମାନଙ୍କ ଫସଲ ପାଇଁ ସତର୍କ ଓ ସଚେତନ କରାଯାଇଛି। ବିଶେଷ କରି ତଳ ଜମି ପାଇଁ ସମସ୍ୟା ରହିଛି ତେଣୁ କୃଷକଙ୍କୁ ସଚେତନ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଯୋଗଦେଇ କିଭଳି ପ୍ରାଣୀର ସୁରକ୍ଷା ସହ ବିଭିନ୍ନ ବିଭାଗର ରାସ୍ତାର ସୁରକ୍ଷା ସମ୍ପର୍କରେ କୁହାଯାଇଥିଲା।

ବାତ୍ୟାରେ ଯଦି ଗଛ, ପଥର, ମାଟି ଆଦି ପକ୍କା ରାସ୍ତା ଅବରୋଧ ହୁଏ ତେବେ ତାକୁ ମୁକାବିଲା ପାଇଁ କୁହାଯାଇଥିଲା। ବାତ୍ୟା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ଆବଶ୍ୟକ ସରଞ୍ଜାମକୁ ପ୍ରସ୍ତୁତ ରଖିବାକୁ ବିଡ଼ିଓ ପାତ୍ର ଓ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗର ଫାୟାରମେନ ଜୁଗୁନୁ କୁମାର ବେହେରା ପ୍ରସ୍ତୁତ ସମ୍ପର୍କରେ ଅବଗତ କରାଇଥିଲେ। ପୋଲିସ ମଧ୍ୟ ବାତ୍ୟା ପ୍ରଭାବିତ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାକୁ ବୈଠକରେ କହିଥିଲେ।

Share