ନିରାଶ ହୋଇ ଫେରିଲା ପ୍ରଶାସନ

ବାଲିଆପାଳ, ୭ା୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହାସଂଘ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ଏକ ଗୋଷ୍ଠୀ ତାଲା ପକାଇଛନ୍ତି। ଶୁକ୍ରବାର ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ତାଲା ଖୋଲିବାକୁ ଯାଇଥିଲେ ମଧ୍ୟ ତାଲା ପକାଇଥିବା ଗ୍ରୁପର ପ୍ରବଳ ବିରୋଧ ଯୋଗୁ ସେ ନିରାଶ ହୋଇ ଫେରିଛନ୍ତି।
ବିଷ୍ଣୁପୁର ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘଦିନ ହେଲା ଦୁଇଭାଗରେ ବିଭକ୍ତ ହୋଇ ପରସ୍ପର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଏପରିକି ଦୀର୍ଘ ୮ମାସ ଧରି ମହାସଂଘ କାର୍ଯ୍ୟାଳୟରେ ତାଲା ପଡିବା ପରେ ସଂଘର କାର୍ଯ୍ୟ ଚାଲିପାରୁ ନ ଥିବାରୁ ଅନ୍ୟ ଗୋଷ୍ଠୀରେ ଥିବା ସଦସ୍ୟା ମହାସଂଘର ସମ୍ପାଦିକା ପ୍ରଭାତୀ ପାତ୍ରଙ୍କ ନେତୃତ୍ୱରେ ପ୍ରମିଳା ପାତ୍ର, ସୁମତୀ ଦାସ, ଚନ୍ଦନା ସାମଲ, ମାନସୀ ପାତ୍ର, ଗୀତାଞ୍ଜଳି ଜେନା, ଅପରାଜିତା କର, ଶାନ୍ତିଲତା ବଢେଇ, ସୁମିତ୍ରା ଗଙ୍ଗାଇ, ତିଳୋତ୍ତମା ରାଜ, ଆରତୀ ଦାସ, ନିରୂପମା ମାଝି, ରେବତୀ ଧଳ ଓ ଶ୍ୱେତପଦ୍ମା ରାଣୀ ଦାସଙ୍କ ସହିତ ବହୁ ସଦସ୍ୟା ତାଲା ଖୋଲିବା ନେଇ ଗୁରୁବାର ବ୍ଲକ ଆଗରେ ସକାଳ ୧୦ଟାରୁ ରାତି ଯାଏ ଧାରଣାରେ ବସିଥିଲେ। ବିଳମ୍ବିତ ରାତିରେ ବାଲିଆପାଳ ଭାଜପା ନେତା ଅରବିନ୍ଦ ବେହେରା, ବିକାଶ ଗିରି, ଭୃଗୁରାମ ବିଶ୍ବାଳଙ୍କ ସହିତ ଅନ୍ୟମାନଙ୍କ ହସ୍ତକ୍ଷେପ ପରେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଶୁକ୍ରବାର ସଂଘ କାର୍ଯ୍ୟାଳୟରୁ ତାଲା ଖୋଲାଯିବାର ଦୃଢ ପ୍ରତିଶ୍ରୁତି ଦେବା ପରେ ଧାରଣାକାରୀମାନେ ଧାରଣାରୁ ଉଠିଥିଲେ। ଶୁକ୍ରବାର ବିଡ଼ିଓ ପଣ୍ଡା ଏବଂ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ମହାସଂଘ କାର୍ଯ୍ୟାଳୟରୁ ତାଲା ଖୋଲିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେଠାରେ ତାଲା ପକାଇଥିବା ଗୋଷ୍ଠୀର କିଛି ମହିଳା ସଦସ୍ୟା ତାଲା ଖୋଲାକୁ ବିରୋଧ କରିଥିଲେ। ମହିଳାଙ୍କ ଜୋରଦାର ବିରୋଧ ଫଳରେ ପ୍ରଶାସନକୁ ବାଧ୍ୟ ହୋଇ ଫେରିବାକୁ ପଡ଼ିଥିଲା। ଉକ୍ତ କାର୍ଯ୍ୟାଳୟ ପଞ୍ଚାୟତ ଅଫିସ ମଧ୍ୟରେ ରହିଛି। ଘଟଣାସ୍ଥଳରେ ବିଡ଼ିଓ ପଣ୍ଡା ଓ ତହସିଲଦାର ଦାସ ପହଞ୍ଚିଥିଲେ ମଧ୍ୟ ସରପଞ୍ଚ ମହେଶ୍ୱର ଜେନା ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ପଣ୍ଡା କହିଛନ୍ତି।