Advertisement

ଆବାସ କାର୍ଯ୍ୟ ଶୀଘ୍ର ସାରିବାକୁ ପ୍ରଶାସନର ତାଗିଦା

ଆନନ୍ଦପୁର,୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଶୀଘ୍ର ଗୃହ କାର୍ଯ୍ୟ କରିବାକୁ କିଛିଦିନ ଧରି ଡାକବାଜି ଯନ୍ତ୍ର ଯୋଗେ ତାଗିଦା କରାଯାଉଛି। ଏଭଳି ପରିସ୍ଥିତିରେ ଆନନ୍ଦପୁରରେ ବାଲି ମିଳୁ ନ ଥିବାରୁ ହିତାଧିକାରୀଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ବାଲି ଅଭାବ କାରଣରୁ ଫ୍ଲାଏ ଆସ୍‌ ଇଟା ମଧ୍ୟ ପ୍ରସ୍ତୁତିରେ ବାଧା ଉପୁଜୁଛି। ଫଳରେ ଗୃହ ନିର୍ମାଣ ଧିମାଇଛି। କାର୍ଯ୍ୟାଦେଶ ଅବଧିକୁ ବୃଦ୍ଧି କରିବାକୁ ହିତାଧିକାରୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଆନନ୍ଦପୁର ତହସିଲ ଅଧୀନ ଆନନ୍ଦପୁର, କୋଡ଼ପଡ଼ାର ଗୌଡ଼ଡ଼ିହା, ଟୁକୁଣା, ବେଲବାହାଳି, ପଞ୍ଚୁପଲୀ, ଅମାରଙ୍ଗ, ଘସିପୁରା ତହସିଲର ତାଳଗାଁ, ହାଟଡ଼ିହୀ ତହସିଲ ଅଧୀନ ବଂଚୋ ବାଲି ସୈରାତଗୁଡ଼ିକ ବନ୍ଦ ରହିଛି। ଉକ୍ତ ସୈରାତ ଉପରେ ବିଶେଷ କରି ଆନନ୍ଦପୁର ପୌରାଞ୍ଚଳବାସୀ ବାଲି ପାଇଁ ନିର୍ଭର କରିଥାନ୍ତି। ସୈରାତ ବନ୍ଦ ଥିବାରୁ ପୌରାଞ୍ଚଳରେ ଆବାସ ଯୋଜନାରେ ସାମିଲ ଥିବା ହିତାଧିକାରୀ ବୁଦ୍ଧଦେବ ରାମ, ନିରଞ୍ଜନ ମିଶ୍ରଙ୍କ ଭଳି ଅନେକ ହିତାଧିକାରୀ ଗୃହ କାର୍ଯ୍ୟ ଶେଷ କରିପାରୁ ନ ଥିବା ପ୍ରକାଶ କରିଛନ୍ତି। ଏପରିକି ସେମାନେ ଗୃହ କାର୍ଯ୍ୟ ପାଇଁ ପୁରୁଣା କଚ୍ଚାଘରକୁ ଭାଙ୍ଗି ଅନ୍ୟତ୍ର ଆଶ୍ରୟ ନେଉଥିବା ମଧ୍ୟ ଦେଖାଯାଇଛି। ବାଲି ସମସ୍ୟାକୁ ଦୃଷ୍ଟିରେ ରଖି ଆବାସ ଗୃହ କାର୍ଯ୍ୟ ଶେଷ କରିବାର ସମୟ ସୀମାକୁ ବୃଦ୍ଧି କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ, ଆନନ୍ଦପୁର ପୌରପରିଷଦ ଅଞ୍ଚଳ ସଂଲଗ୍ନ ରହିଥିବା ବୈତରଣୀ ନଦୀର ବାଲି ସୈରାତଗୁଡ଼ିକ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନି। ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ଦିନ ଧରି ବାଲି ସୈରାତଗୁଡ଼ିକର ନିଲାମ କାର୍ଯ୍ୟ ଶେଷ ହେବା ସତ୍ତ୍ୱେ ଅଦ୍ୟାବଧି ଏହା ପ୍ରଶାସନିକ ସ୍ତରରେ କାର୍ଯ୍ୟକ୍ଷମ ହୋଇପାରିନି। ଏପରିକି କେତେକ ବାଲି ସୈରାତର ପରିବେଶ ମଞ୍ଜୁରୀ ପାଇ ପ୍ରଦୂଷଣ ବିଭାଗ ଦ୍ୱାରା ଜନଶୁଣାଣି ମଧ୍ୟ ଶେଷ ହୋଇଛି। ହେଲେ ଦୀର୍ଘ ତିନି ଓ ଚାରି ମାସରୁ ଊର୍ଦ୍ଧ୍ୱ ଦିନ ଧରି ସୈରାତ କାର୍ଯ୍ୟକାରୀ ହୋଇପାରୁନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share